୩୨୫ ବିଭାଗରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପୁରସ୍କୃତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଡି.ଏ.ଭି କଳିଙ୍ଗ ନଗର ପରିସରରେ ଶିକ୍ଷାବର୍ଷ ୨୦୧୯-୨୦ ଏବଂ ଶିକ୍ଷାବର୍ଷ ୨୦୨୦-୨୧ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ପୁରସ୍କୃତ କରାଯାଇଛି । କୋଭିଡ୍ ମହାମାରୀ ପାଇଁ ବିଳମ୍ବ କିନ୍ତୁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଦୈତନଗରୀ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟରର ରେଜିଷ୍ଟ୍ରାର ଡକ୍ଟର ଦେବୀ ପ୍ରସାଦ ସାହୁ ଯୋଗ ଦେଇ ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରି ଉତ୍ସାହିତ କରିବା ସହ ଏହି ସଫଳତାକୁ ଜୀବନର ଏକ ଅଂଶଭାବେ ଗ୍ରହଣ କରି ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ । ଉତ୍ସବରେ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ଏବଂ ମ୍ୟାନେଜର ଡକ୍ଟର ଭାଗ୍ୟବତୀ ନାୟକ ଯୋଗ ଦେଇ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ତଥା ପ୍ରତ୍ୟେକ ବିଷୟରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ରାଷ୍ଟ୍ରଗଠନରେ ଜଣେ ସଚ୍ଚୋଟ ଏବଂ ନିଷ୍ଠାପର ନାଗରିକର ଦାୟିତ୍ୱ ସମ୍ପାଦନ କରିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିପିନ କୁମାର ସାହୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ପରୀକ୍ଷାରେ ବିଦ୍ୟାଳୟରସଫଳତା ଉପରେ ଆଲୋକପାତ କରିଥିଲେ । ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇ ୩୨୫ଟି ବିଭାଗରେ ପୁରସ୍କୃତ ହୋଇଥିଲେ । ବିଦ୍ୟାଳୟର ପର୍ଯ୍ୟବେକ୍ଷକ,ପର୍ଯ୍ୟବେକ୍ଷିକା ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମଟି ସୂଚାରୁରୁପେ ସମ୍ପାଦିତ ହୋଇଥିଲା । ବିଦ୍ୟାଳୟର ଏହି ଉଦ୍ୟମକୁ ଅଭିଭାବକ ମହଲରେ ଉଚ୍ଚପ୍ରଶଂସା କରାଯାଇଥିଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ