ଗଣ୍ଡାଖିଆ-ସାନ୍ତସାହି କେନାଲ ବନ୍ଧ ରାସ୍ତାରୁ ପଥର ଖସୁଛି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗ୍ରାମ ଉନ୍ନୟନ ଡିଭିଜନ ପକ୍ଷରୁ ଦଶକୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଗତ ୫ମାସ ତଳେ ନିର୍ମିତ ଗଣ୍ଡାଖିଆ-ସାନ୍ତସାହି କେନାଲ ବନ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ କେନାଲ ଭିତରକୁ ପଥର ଖସିବା ଦ୍ୱାରା ଏହା ରାସ୍ତା ପ୍ରତି ବିପଦ ଦେଖାଦେଇଛି । ଏହି ରାସ୍ତାର ଲମ୍ବ ୧୦କି.ମି. । ଏହି କେନାଲ ବନ୍ଧ ରାସ୍ତାର ଓସ୍ତପୁର, କଂସାର ଠାରୁ ଆରମ୍ଭ କରି ଆୟବା ମଧ୍ୟରେ ବିଭିନ୍ନ ସ୍ଥାନରେ କେନାଲ ଭିତରକୁ ପଥର ଖସିବା ଆରମ୍ଭ ହେବାରୁ ସାଧାରଣରେ ଏନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରାୟ ୫ମାସ ତଳେ ଜଣେ ସ୍ୱତନ୍ତ୍ର ଠିକାଦାରଙ୍କ ଦ୍ୱାରା ନିର୍ମିତ ଏହି ରାସ୍ତାର ଅବସ୍ଥା ଏବେଠାରୁ ଯଦି ଏଭଳି ହୁଏ ତେବେ ଆଉ ୬ମାସ ଭିତରେ ସେହି ରାସ୍ତାର ଅବସ୍ଥା କିଭଳି ଶୋଚନୀୟ ହୋଇପଡିବ ତାହା ଏବେଠାରୁ ଜଣାପଡିଲାଣି । ଏହି ରାସ୍ତାରେ ଟ୍ରକ ଚାଲିବା ଦ୍ୱାରା ରାସ୍ତାର ଅଧିକାଂଶ ସ୍ଥାନ ଦବି ଗଲାଣି । ରାସ୍ତାର କାମ ଅତି ନିମ୍ନମାନର ହୋଇଥିବାରୁ ଏବଂ ବିଭାଗର ନିର୍ଦ୍ଦେଶ ମତେ ଗୋଡି, ବାଲି ଓ ସିମେଣ୍ଟ ବ୍ୟବହାର କରାଯାଇନଥିବାରୁ ରାସ୍ତାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୪ଟି ପଞ୍ଚାୟତର ଅଧିବାସୀମାନେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ରାସ୍ତାର ମାନ ପରୀକ୍ଷା କରି ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ସୁଦ୍ଧା ଅଧିକ୍ଷଣ ଯନ୍ତ୍ରୀ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇ ନିଜର ଦାୟିତ୍ୱ ଶେଷ କରିଦେଇଥିବା ପୁରୁଷୋତ୍ତମପୁର ପଞ୍ଚାୟତର ସନ୍ୟାସପୁର ଗ୍ରାମର ସମାଜସେବୀ ସନ୍ତୋଷ ବେହେରା ଅଭିଯୋଗ କରିଛନ୍ତି । ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଗ୍ରାମବାସୀମାନେ ଭିଜିଲାନ୍ସ ଡିଜିଙ୍କୁ ଭେଟି ଏହି ରାସ୍ତାର ମାନ ପରୀକ୍ଷା କରିବା ସହିତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଦାବି କରିବେ ବୋଲି ବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ