ଡିଏନ୍ଏ କହିବ ଶିଶୁର ଭବିଷ୍ୟତ
ଆଗାମୀ ଦିନରେ ଶିଶୁଟି କେଉଁ ପେସା ଗ୍ରହଣ କରିବ, ତାହା ତା’ର ଡିଏନ୍ରୁ ଜଣାପଡ଼ିବ । ଶିଶୁ ଡାକ୍ତର, ଇଞ୍ଜିନିୟର, କଳାକାର ଅବା ସାଧାରଣ କାର୍ଯ୍ୟ କରିବ ତାହା ଗୁଣସୂତ୍ରରେ ଥିବା ଡିଏନ୍ଏରୁ ସହଜରେ ଆକଳନ କରାଯାଇପାରିବ ବୋଲି ଗବେଷକ କହିଛନ୍ତି । ଏନେଇ ଚାଇନା ସମେତ ଅନ୍ୟ କେତେକ ବିକଶିତ ଦେଶରେ ଜେନେଟିକ୍ ଟେଷ୍ଟିଂ ଜ୍ଞାନକୌଶଳ ଉପରେ ଗବେଷଣା ଜାରି ରହିଛି । ୨୦୧୮ରେ ଚାଇନାରେ ଏହି ଜ୍ଞାନକୌଶଳ ଯୋଗୁ ୪.୧ କୋଟି ଡଲାରର କାରବାର ହୋଇଥିଲା । ୨୦୨୫ ବେଳକୁ ଏହା ପ୍ରାୟ ତିନିଗୁଣା ବୃଦ୍ଧି ପାଇ ୧୩.୫ କୋଟି ଡଲାରରେ ପହଞ୍ଚିବାର ଆକଳନ କରାଯାଇଛି । ଚାଇନାରେ ପ୍ରତିବର୍ଷ ଦେଢ଼ କୋଟି ଶିଶୁ ଜନ୍ମ ନେଇଥାନ୍ତିୟ ଅଭିଭାବକମାନେ ଶିଶୁ ଭବିଷ୍ୟତରେ କେଉଁ ପେସା ପ୍ରତି ଆକୃଷ୍ଟ ହେବ ତାହା ଜାଣିବାକୁ ଚାହୁଁଛନ୍ତି । ଏହାକୁ କେତେକ ଜାତକ ବିଚାର କହୁଥିବାବେଳେ କମ୍ପାନୀଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ଏଭଳି ଆକଳନ ଡିଏନ୍ଏ ଉପରେ ଆଧାରିତ । ତେବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଆନୁବଂଶିକ ୱିଙ୍ଗ୍ ଏବଂ ଡାଟା ଇନଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଗିଲ୍ ମେକୱନ୍ଙ୍କ ଅନୁସାରେ ଶିଶୁର ଏଭଳି ଭବିଷ୍ୟତ ସଠିକ୍ ଭାବେ ଡିଏନ୍ଏ ପରୀକ୍ଷଣରୁ ଜଣାପଡ଼ିବା ଦାବି ଶତ ପ୍ରତିଶତ ନୁହେଁ । ଶିଶୁର କେତେକ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାର ସମ୍ପର୍କରେ ଡିଏନ୍ଏ ପରୀକ୍ଷଣରୁ ଜଣାପଡ଼ିଥାଏ । ମାତ୍ର ଜିନ୍ ଡିସକଭରି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ବ୍ୟକ୍ତିର ସମସ୍ତ ଚାଲିଚଳଣ ଆନୁବଂଶିକ ଗୁଣର ବାହକ । ତେଣୁ ଏଭଳି ପରୀକ୍ଷଣ ଦ୍ୱାରା ଭବିଷ୍ୟତ ପେସା ସମ୍ପର୍କରେ ତଥ୍ୟ ବହୁ ପୂର୍ବରୁ ଜଣାପଡ଼ିବ । ଗ୍ଲୋବାଲ୍ ମାର୍କେଟ୍ ଇନ୍ସାଇଟ୍ ଅନୁସାରେ ଏଭଳି ପରୀକ୍ଷଣ ଦ୍ୱାରା ଅଗାମୀ ଦିନରେ ଭଲ କାରବାର ହୋଇପାରିବ । ୨୦୨୨ ସୁଦ୍ଧା ଏହି କ୍ଷେତ୍ରରେ ସାରା ପୃଥିବୀରେ ୪୦ କୋଟି ଡଲାରରୁ ଅଧିକ କାରବାର ହେବାର ଆଶା ରହିଛି । ଏହି ସମୟରେ ଚାଇନାର ୬ କୋଟି ଡଲାରର କାରବାର ହେବାର ଅନୁମାନ କରାଯାଇଛି ।


