ପିଲାଙ୍କ ପରୀକ୍ଷା ଫଳ ପ୍ରଭାବିତ କରେ ଜଳଖିଆ
ପିଲାଙ୍କ ପରୀକ୍ଷା ଫଳ ଜଳଖିଆ ପ୍ରଭାବିତ କରିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ତେଣୁ ଅଭିଭାବକମାନେ ଏବେଠାରୁ ସାବଧାନ ହେବା ଲାଗି ପରାମର୍ଶ ଦିଆଯାଇଛି । ଗବେଷଣାରୁ ଜଣାପଡ଼ିଛି ଯେ, ଜଳଖିଆ କରୁ ନ ଥିବା ପିଲା କମ୍ ମାର୍କ ରଖନ୍ତି । ପିଲାମାନେ ଖାଲିପେଟରେ ରହି ପାଠପଢ଼ିବା ଦ୍ୱାରା ମାନସିକ ସନ୍ତୁଳନ ରକ୍ଷା ହୋଇ ନ ଥାଏ । ଖାଲି ଘରେ ନୁହେଁ, ସ୍କୁଲରେ ମଧ୍ୟ ଜଳଖିଆ କରିବା ଜରୁରୀ । କମ୍ ଖାଦ୍ୟ ଖାଉଥିବା ପିଲାଙ୍କଠାରୁ ଅପେକ୍ଷାକୃତ ଅଧିକ ଖାଦ୍ୟ ଖାଉଥିବା ପିଲାଙ୍କ ମାନସିକ ସ୍ଥିତି ସୁଦୃଢ଼ ହୋଇଥାଏ । ଫଳରେ ପିଲା ପାଠପଢ଼ିଲେ, ତାହା ସହଜରେ ମନେରହିଥାଏ । କମ୍ ଜଳଖିଆ କରୁଥିବା ପିଲାଙ୍କ ତୁଳନାରେ ଅଧିକ ଜଳଖିଆ କରୁଥିବା ପିଲାଙ୍କ ଅଧ୍ୟୟନ ଭଲ ଓ ସେମାନେ ଅପେକ୍ଷାକୃତ ଅଧିକ ମାର୍କ ରଖନ୍ତି । ଗବେଷଣା ରିପୋର୍ଟରେ ଉଲ୍ଲେଖ ଅଛି ଯେ, ପିଲାଙ୍କ ଖାଦ୍ୟପେୟ ଉପରେ ଅନେକ ପିତାମାତା ଗୁରୁତ୍ୱ ଦେଇନଥାଆନ୍ତି ତଥା ଅବହେଳା ପ୍ରଦର୍ଶନ କରିଥାଆନ୍ତି । ଯାହା ଫଳରେ ସେମାନଙ୍କ ମାନସିକ ସନ୍ତୁଳନ ବିଗିଡ଼ିଯାଏ ଏବଂ ସେମାନେ ପରୀକ୍ଷା ଖରାପ ପ୍ରଦର୍ଶନ କରିଥାଆନ୍ତି । ସକାଳୁ ପିଲାମାନେ ପ୍ରଚୁର ପରିମାଣର ଖାଦ୍ୟ ଖାଇବା ଦ୍ୱାରା ମନ ସତେଜ୍ ରହିଥାଏ । ପାଠ ପଢ଼ିବା ଓ ମନେରଖିବା ଲାଗି ଏହା ଆଗ୍ରହ ସୃଷ୍ଟି କରିଥାଏ । କମ୍ ଖାଇବା ଦ୍ୱାରା କୁପୋଷଣର ଶିକାର ହୋଇ ମାନସିକ ସନ୍ତୁଳନ ବିଗିଡ଼ି ଯିବାର ଆଶଙ୍କା ରହିଛି । ୨୯୪ ସ୍କୁଲ, କଲେଜ୍ ପିଲାଙ୍କ କ୍ଷେତ୍ରରେ ଏହା ପରୀକ୍ଷା କରାଯାଇଥିବାବେଳେ ଜଳଖିଆ କମ୍ କରୁଥିବା ପିଲା କମ୍ ମାର୍କ ରଖୁଥିବା ଜଣାପଡ଼ିଛି । ୨୦୧୯ର ବ୍ରିଟେନ ଡାଟା କହୁଛି ୧୬% ପିଲା ଜଳଖିଆ ମିସ୍ କରନ୍ତି । ତେଣୁ ସେମାନଙ୍କ ମାନସିକ ସ୍ଥିତି ଓ ପାଠ ପଢ଼ିବାର ଆଗ୍ରହ କମିଯାଏ । ପାଠପଢ଼ିବା ଲାଗି ପିଲାମାନେ ପେଟପୂରା ଖାଇବା ଓ ମାନସିକ ଭାବେ ସୁସ୍ଥ ରହିବା ଏକାନ୍ତ ଜରୁରୀ ।


