ଚନ୍ଦ୍ରଭାଗା ସମୁଦ୍ରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ବେଳାଭୂମି ସମୁଦ୍ରରୁ ସୋମବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଚନ୍ଦ୍ରଭାଗା ମେରାଇନ ଥାନା ୧୦୦ ମିଟର ଦୂରରେ ପୋଲିସ କର୍ମଚାରୀ ସମୁଦ୍ର କୂଳରେ ଜଗା ରଖା କରୁଥିବା ସମୟରେ ସମୁଦ୍ରରେ ଜଣେ ଯୁବକ ଭାସୁଥିବା ଦେଖିବାକୁ ପାଇଥିଲେ। ପୋଲିସ କର୍ମଚାରୀ ତୁରଂତ ତାଙ୍କୁ ସମୁଦ୍ର ପାଣି ଭିତରୁ ଭିଡ଼ି ଆଣି ଥିଲେ। କିନ୍ତୁ ପୂର୍ବରୁ ଯୁବକଙ୍କ ମୃତ ହୋଇଯାଇଥିବା ଜଣାପଡିଥିଲା। ତାଙ୍କ ଆଖି ପତାରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତେଣୁ ଯୁବକଙ୍କୁ ହତ୍ୟା କରାଯାଇ ସମୁଦ୍ରରେ ଭସାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। କେହି ହତ୍ୟା କରି ସମୁଦ୍ରରେ ଭସାଇ ପଳାଇଥିବା ସନ୍ଦେହ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ମୃତ ଯୁବକ ଙ୍କ ଫଟୋ ଭାଇରଲ ହେବା ପରେ ଯୁବକଙ୍କ ପରିଚୟ ମିଳିଛି। ଯୁବକଙ୍କ ବୟସ ୩୮ ବର୍ଷ । ତାଙ୍କ ଘର କୋଣାର୍କ ଥାନା ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତ ମୁର୍କୁଣ୍ଡି ଗ୍ରାମ ବୋଲି ଜଣାପଡିଛି। ମୃତ ଯୁବକ ଜଣଙ୍କ ଚକ୍ରଧର ବାରିକଙ୍କ ପୁଅ ମନୀନ୍ଦ୍ର ବାରିକ ବୋଲି ଜଣାପଡିଛି। ସେ ଗାଁ ରେ ଏକ ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କର ସ୍ତ୍ରୀ ଓ ଦୁଇଟି ଛୋଟ ଝିଅ ଥିବା ସୂଚନା ମିଳିଛି। ସକାଳ ୯ଟାରେ ବାଇକ ଦ୍ବାରା କୋଣାର୍କ କୁ ଦୋକାନ ସଉଦା କିଣିବାକୁ ଆସି ଫେରିନଥିବା ଘରଲୋକେ କହିଛନ୍ତି। ମଧ୍ୟାହ୍ନ ୧୨ଟାରେ ସମୁଦ୍ର କୂଳରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଗାଡି ମିଳିନାହିଁ। ଏଣୁ କେହି ହତ୍ୟା କରିଥିବା ସମ୍ପର୍କୀୟ ମାନେ ସନ୍ଦେହ ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି। ଚନ୍ଦ୍ରଭଗା ପୋଲିସ ୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଏନେଇ କୋଣାର୍କ ଓ ତାଙ୍କ ଆଖପାଖ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।


