ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଜି ପବିତ୍ର ଜନ୍ମାଷ୍ଟମୀ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ଏହି ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜା କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଏ। ସେହିଭଳି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଧୁମ୍ ଧାମରେ ପାଳନ ହୋଇଛି ଜନ୍ମାଷ୍ଟମୀ ଉତ୍ସବ। ପ୍ରାୟ ୨୦୦ ଶିଶୁ ଭାଇ ଭଉଣୀ ଶ୍ରୀକୃଷ୍ଣ,ରାଧା,ବଳରାମ, ସୁଦାମା ଆଦି ଚରିତ୍ରରେ ନିଜକୁ ସଜେଇ ବିଦ୍ୟାମନ୍ଦିରକୁ ଯାଇଥିଲେ। ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯଥା ବିଧି ପୂର୍ବକ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୃନ୍ଦ ସମଗ୍ର ସହର ପରିକ୍ରମାରେ ବାହାରିଥିଲେ। ପ୍ରଥମେ ବାଲିଗୁଡ଼ାର ଆରାଧ୍ୟା ଦେବୀ ମା’ପାଟ୍ଟଖଣ୍ଡାଙ୍କ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ପରେ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ପହଁଚି ଦର୍ଶନ ଓ ପୂଜାର୍ଚ୍ଚନା ସାରି ଫେରିଥିଲେ ସମସ୍ତେ । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ବିଦ୍ୟାଳୟ ବନ୍ଦ ରହିବା ସହ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏଥିସହିତ ସମସ୍ତ ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ରୋକ୍ ଲାଗିଥିଲା । କିନ୍ତୁ ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ଉତ୍ସବ ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି । ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ଅଭିଭାବକ ଓ କୁନିକୁନି ଛାତ୍ରଛାତ୍ରୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ