ନୌସେନା ପକ୍ଷରୁ ବନ୍ୟା ବିପନ୍ନ ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ନିମାପଡ଼ା, (ସନ୍ତୋଷ ଦାଶ) ଚଳିତବର୍ଷ ଦେବୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ ଅସ୍ତରଙ୍ଗ ବ୍ଲକର ଦୀପାଞ୍ଚଳ ଭାବରେ ପରିଚିତ ତାଳଦା ପଞ୍ଚାୟତ ସମ୍ପୂର୍ଣ ଭାବେ ବନ୍ୟା ପାଣି ଘେରରେ ରହିଛି।ଏହି ପଞ୍ଚାୟତର ଡିହକରଡା,ପାଇଖଳା, ଡିଆ,ଚନ୍ନପୁର,ତାଳଦା,ବାଘମାରୀ ବାଆଁରେଇ,ଏଡବାଂଶ,ରିସୋଲ କୁଳସାହି ଆଦି ପ୍ରମୁଖ ଗ୍ରାମ ଗୁଡିକରେ ବନ୍ୟାପାଣି ଘେରରେ ରହିଛି।ଏହିସବୁ ଗ୍ରାମଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ଅନେକ ଘରଦ୍ୱାର ବୁଡ଼ି ରହିଥିବା ବେଳେ ଶହ ଶହ ହେକ୍ଟର ଧାନ ଜମି ରେ ପ୍ରାୟ ଦଶଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଯାହାଫଳରେ ବନ଼୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ପାଞ୍ଚଦିନ ପର୍ଯ୍ୟନ୍ତ ରୋଷେଇ ବାସ ସମ୍ପୂର୍ଣ୍ଣ ବନ୍ଦ ରହିଛି।ବିପନ୍ନ ଲୋକମାନେ ଶୁଖିଲା ଚୁଡା , ଗୁଡ଼ ଏବଂ ବିସ୍କୁଟ ଖାଇ ରହିଥିଲେ। ବନ୍ୟାବିପନ୍ନ ଲୋକମାନଙ୍କର ଦୁର୍ଦ୍ଦଶା ଦେଖି ଅସ୍ତରଙ୍ଗ ସାମ୍ବାଦିକ ସଂଘ ର କର୍ମକର୍ତ୍ତା ମାନେ ସେମାନଙ୍କୁ ସାହାଯ୍ୟ କରିବାପାଇଁ ଭେଟ୍ରାନ୍ କ୍ଲବ ଅଧ୍ୟକ୍ଷ ତଥା ପୂର୍ବତନ ନୌସେନା ଅଧିକାରୀ ବିଦ୍ୟାଧର ନାୟକଙ୍କ ସହିତ ଯୋଗାଯୋଗ କରିଥିଲେ।ଖବର ଜାଣିବାପରେ ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ନେତୃତ୍ବରେ ଭାରତୀୟ ନୌସେନା ବାହିନୀ ,ଚିଲିକା ଓ ଭେଟ୍ରାନ କ୍ଲବ ଓଡ଼ିଶା ପକ୍ଷରୁ ମିଳିତ ସହଯୋଗରେ ଭାରତୀୟ ନୌସେନା ବାହିନୀ ତାଳଦା ଅଞ୍ଚଳରେ ପହଞ୍ଚି ସେଠାରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦେବାପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ବିଡିଓ ତୃଷାରଜ୍ୟୋତି ରଞ୍ଜନ ଙ୍କ ସହିତ ଆଲୋଚନା କରିଥିଲେ।ପ୍ରଶାସନିକ ଅଧିକାରୀ ମାନେ ସହମତି ଦେବାପରେ ଭାରତୀୟ ନୌସେନା ପକ୍ଷରୁ ମଙ୍ଗଳବାର ଠାରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦୈନିକ ୭ଶହ ବିପନ୍ନମାନଙ୍କୁ ଦୁଇବେଳା ଦିଆଯାଉଥିବା ନୌସେନା ର ମୁଖ୍ୟ କମାଣ୍ଡର ଏନ ପି ପ୍ରଦୀପ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବାକୁ ଥିବା ବେଳେ ନୌସେନା ବାହିନୀ ର ରିଲିଫ ପ୍ରଦାନ କାର୍ଯ୍ୟ ରେ ସ୍ଥାନୀୟ ସରପଞ୍ଚ ଦୀପକ ପରିଡ଼ା ପୂର୍ଣ୍ଣ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନୌସେନା କର୍ମଚାରୀ ମେରାଇନ କମାଣ୍ଡର ରବୀନ୍ଦ୍ର କୁମାର ସାହୁ, ସମରେନ୍ଦ୍ର ପରିଡା,ଗୋପିନାଥ ମିଶ୍ର,ଅଜୟ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ


