କନ୍ଧମାଳ ସାଂସଦଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା ଓ ଜିଲ୍ଲାର ବିକାଶ ନେଇ ଆଲୋଚନା

ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ଫୁଲବାଣୀଠାରେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲାରେ ସାମ୍ପ୍ରତିକ ବର୍ଷା ଓ ବନ୍ୟା ପରିସ୍ଥିତି ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ଜିଲ୍ଲା ପ୍ରସାସନ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚନ୍ଦ୍ରମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍‍ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକଙ୍କ ସହ ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶେଷ କରି କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ ଓ କ୍ରୀଡ଼ାର ବିକାଶ ସହ ସମସ୍ତ ଅଞ୍ଚଳରେ ଟେଲି ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ିକରଣ ପାଇଁ ବିଭିନ୍ନ ଅଞ୍ଚଳରେ ଟେଲିଫୋନ୍‍ ଟାୱାର ସ୍ଥାପନ ଏବଂ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ଗୃହ ଯୋଗାଣ ଉପରେ ସାଂସଦ ଶ୍ରୀ ସାମନ୍ତ ଗୁରୁତ୍ୱାରୋପ କରିଥିଲେ । ଆଜି ସକାଳେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟ ସହ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ନେଇ ବିଜେଡ଼ି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ବିଜେଡ଼ି ମହିଳା ସଭାପତି ପୁନମ୍‍ କହଁର, ଜିଲ୍ଲା ଯୁବ ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପ୍ରଧାନ, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ସୁନୀଲ ସେଠି ଓ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।
ସାଂସଦ ଶ୍ରୀ ସାମନ୍ତ ଆଜି ଫୁଲବାଣୀଠାରେ ରୋଗୀ କଲ୍ୟାଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଜିଲ୍ଲା ସ୍ୱାସ୍ଥ୍ୟ ମିଶନ କମିଟି ବୈଠକରେ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ଶ୍ରୀ ସାମନ୍ତ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ଭ୍ରାମ୍ୟମାଣ ପ୍ରସବ ଯାନ ଓ ଭ୍ରାମ୍ୟମାଣ ଚିକିତ୍ସା ଯାନର ଲୋକାର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ