ମଦ ଖାଇ ସ୍କୁଲ ଆସିବା ଓ ଛାତ୍ରଙ୍କୁ ଲୁହା ପାଇପ ରେ ପିଟିବା ମାହାଙ୍ଗା ପଡିଲା, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ନିଲମ୍ବିତ ହେଲେ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୁନ୍ଦରପାଳରେ ଥିବା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକଙ୍କୁ ମଦ ଖାଇ ସ୍କୁଲ ଆସିବା ଓ ଛାତ୍ରଙ୍କୁ ଲୁହା ପାଇପ ରେ ପିଟିବା ମାହାଙ୍ଗା ପଡିଛି। ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ତାଙ୍କ ଚିଠି ନଂ ୫୦୯୭/ ତା ୨୫/୮/୨୦୨୨ ରେ ନିତ୍ୟାନନ୍ଦ ବାରିକଙ୍କୁ ନିଲମ୍ବିତ କରିବା ସହିତ ତାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଲମ୍ବନ ସମୟରେ ରହିବା ପାଇଁ କୁହାଯାଇଛି। ନିତ୍ୟାନନ୍ଦ ଙ୍କ ବଦଳରେ ବରିଷ୍ଠ ଶିକ୍ଷକ କାହ୍ନୁ ମୁର୍ମୁ ଅଧ୍ୟକ୍ଷ ଦାଇତ୍ୱ ତୁଲାଇବାକୁ ନିର୍ଦେଶ ରହିଛି। ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଥିବା ନିତ୍ୟାନନ୍ଦ ବାରିକ ନିୟମିତ ବିଦ୍ୟାଳୟ କୁ ମଦ୍ୟପାନ କରି ଆସିବା ସହ ଛାତ୍ରୀ ମାନଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା, ଜଣେ ଷଷ୍ଠ ଶ୍ରେଣୀର ଛାତ୍ରକୁ ଲୁହା ପାଇପରେ ପିଟିବା ସହ ବିଦ୍ୟାଳୟ ର ଶୈକ୍ଷିକ ପରିବେଶ କୁ ନଷ୍ଟ କରିଥିଲେ। ଏ ନେଇ ଅଭିଯୋଗ ହେବା ସହ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଆନନ୍ଦପୁର ଉପଜିଲ୍ଲାପାଳ, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ, ହାଟଡିହି ବିଡ଼ିଓ ପ୍ରମୁଖ ତଦନ୍ତ କରି ଜିଲାପାଳ ଙ୍କୁ ରିପୋର୍ଟ ଦେବା ସହିତ ସମ୍ପୃକ୍ତ ଅଧ୍ୟକ୍ଷ ଙ୍କ ସ୍କୁଲ ପ୍ରବେଶ ଉପରେ କଟକଣା ଲଗାଇଥିଲେ। ପରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ନିତ୍ୟାନନ୍ଦ ବାରିକଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରିଛନ୍ତି। ପ୍ରଶାସନ ର ତ୍ୱରିତ ପଦକ୍ଷେପ କୁ ଅଭିଭାବକ ମାନେ ସ୍ୱାଗତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ଦୁଇ ବର୍ଷ ହେଲା ଅନେକ ଅଭିଭାବକ ଏହି ଅଧ୍ୟକ୍ଷଙ୍କ ଏପରି କାର୍ଯ୍ୟକଳାପ ବିରୁଦ୍ଧରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଭେଟି ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳି ନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ