ଚାରିଛକ ଥାନାରେ ସାମିଲ ନ ହେବାକୁ ୩ ପଞ୍ଚାୟତବାସୀଙ୍କ ଦାବି

ନିମାପଡା, (ସନ୍ତୋଷ ଦାଶ):ରାଜ୍ୟ ସରକାର ଓଡ଼ିଶାରେ ୩୬ ଟି ନୂତନ ଥାନା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିମଧ୍ୟରୁ ପୁରୀ ଜିଲ୍ଲା ନିମାପଡା ଥାନା ଅଧୀନରେ ଥିବା ଚାରିଛକ ଫାଣ୍ଡିକୁ ଥାନା ର ମାନ୍ୟତା ମିଳିଛି। ଏହି ଫାଣ୍ଡି ଅଧୀନରେ ପୂର୍ବରୁ ଥିବା ଭୋଦର ,କଳାପାଞ୍ଚଣ, ତମ୍ପାଳୋ, ତୁଳସୀପୁର,ବାହାରଣା, ଛଣିଜଙ୍ଗ ପଞ୍ଚାୟତ ସହିତ ଗୋପ ଥାନାର ଜଙ୍ଗଲବୋରି,ଧୂମାଳ ଓ ଦେସ୍ଥଳି ପଞ୍ଚାୟତ କୁ ସାମିଲି କରାଯାଇଛି। ନିମାପଡା ଥାନା ଅଧୀନରେ ଥିବା ମିଟେଇପୁର,ଭୋଗଶାଳଦା ଓ ତେରୁଣ୍ଡିଆ ପଂଚାୟତ କୁ ନୂତନ ଭାବେ ଗଠିତ ଚାରିଛକ ଥାନା ରେ ସାମିଲି କରାଯାଇଥିବାରୁ ଉକ୍ତ ୩ଟି ପଞ୍ଚାୟତ ର ଲୋକ ପ୍ରତିନିଧି ଓ ଜନସାଧାରଣ ଏହାକୁ ବିରୋଧ କରି ପୂର୍ବ ପରି ନିମାପଡା ଥାନା ଅଧୀନରେ ରହିବାକୁ ଦାବି କରିଛନ୍ତି।ତେରୁଣ୍ଡିଆ ପଂଚାୟତ ର ସରପଞ୍ଚ ନିରୁପମା ପ୍ରଧାନ,ମିଟେଇପୁର ପଂଚାୟତ ର ସରପଞ୍ଚ ପବିତ୍ର ପ୍ରଧାନ,ଓ ଭୋଗଶାଳଦା ପଂଚାୟତ ର ସରପଞ୍ଚ ବିଶ୍ୱନାଥ ସେନାପତି ପ୍ରମୁଖ ନିଜ ପଞ୍ଚାୟତ ବାସୀଙ୍କୁ ସାଙ୍ଗରେ ଧରି ନିମାପଡା ଥାନା ରେ ପହଞ୍ଚି ଥାନା ଅଧିକାରୀଙ୍କୁ ଦାବିପତ୍ର ଦେଇ ପ୍ରତିବାଦ କରିଛନ୍ତି ।ସେମାନେ ଅଭିଯୋଗ କରିଛନ୍ତି ଯେ, ଗମନାଗମନ ଦୃଷ୍ଟିକୋଣ ରୁ ଚାରିଛକ ନିମାପଡା ଠାରୁ ଦୂର ।ତେଣୁ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟ ଦୃଷ୍ଟିରୁ ଏହି ପଂଚାୟତ ଗୁଡିକୁ ଚାରିଛକ ଥାନାରେ ସାମିଲ କରାନଯାଉ ।ଉକ୍ତ ପଂଚାୟତ ଗୁଡିକୁ ପୂର୍ବପରି ନିମାପଡା ଥାନା ଅଧୀନରେ ରଖାଯାଉ । ଏ ନେଇ ସମସ୍ତେ ଏକ ଦାବିପତ୍ର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ , ଆରକ୍ଷୀ ଅଧିକ୍ଷକ, ପୁରୀ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ନିମାପଡା,ଓ ଥାନା ଅଧିକାରୀ ,ନିମାପଡା ଙ୍କୁ ଦେଇଥିବା ଜଣାପଡିଛି । ଚାରିଛକ ଫାଣ୍ଡି ଟି ଥାନା ଘୋଷଣା ହେବାର ଦିନକ ପରେ ଜନସାଧାରଣ ଙ୍କ ପକ୍ଷରୁ ଏପରି ଦାବି କରାଯାଇଥିବାରୁ ଏହା ଗୃହ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ