କର୍ମ ତତ୍ପର ମହିଳାଙ୍କ ଅକାଳ ବିୟୋଗ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୁଇ ଦିନ ତଳେ ଅର୍ଥାତ ୨ ସେପ୍ଟେମ୍ବରରେ ମହାନ୍ତି ପରିବାରରେ ପୁତ୍ର ସନ୍ତାନଟିଏ ଜନ୍ମ ନେଇଥିଲା । ବିବାହର ଆଠ ବର୍ଷ ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିବାରୁ ମା ମନରେ କାହିଁ କେତେ ଆନନ୍ଦ କହିଲେ ନସରେ । ଅସ୍ତ୍ରୋପଚାର କଷ୍ଟକୁ ଭୃକ୍ଷେପ ନକରି ମା ତା ଟିକି ପୁଅକୁ କୋଳେଇ ଆଣି କହିଥିଲା ମୋ ଗେଲ୍ଲା, ମୋ ଧନ ତୋ ବାପାକୁ କହିବି ଏକୋଇଶାକୁ ବଡ ପାର୍ଟିଟେ କରିବେ, ମୋ ଗେଲୁ ପାଇଁ ବଡ ଦୋଳି ଆଣିବେ ଏମିତି କେତେ ଭାବନା କରି ପକାଇଥିଲା ମା । ପରିବାରରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଥିଲା । ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସାଙ୍ଗ ସହୋଦର ପର୍ଯ୍ୟନ୍ତ ସମସ୍ତେ ଆନନ୍ଦ ଉଲ୍ଲାସରେ ମିଠା ବାଂଟିବା ସହିତ ବିଭିନ୍ନ ବରାଦି କରିଦେଇଥିଲେ । କିନ୍ତୁ ନିଷ୍ଠୁର ବିଧାତାର ଖେଳ ଆଗରେ ପାଣି ଫାଟି ଯାଇଥିଲା ଖୁସିର ଲହରୀ । ହଠାତ ହୃଦ୍ ଘାତରେ ମାର ଅକାଳ ବିୟୋଗ ଘଟିଥିଲା । ଦୁଇ ଦିନର ବାଳୁତ ପୁଅକୁ ଛାଡି ଆର ପାରିକୁ ଚାଲି ଯାଇଥିଲେ ମା । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭୁବନେଶ୍ୱର ବ୍ଲକ ଲିଙ୍ଗିପୁର ପଂଚାୟତର ଗୌଙ୍ଗତ୍ରୀ ନଗରରେ । ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମହାନ୍ତିଙ୍କ ପୁତ୍ରବଧୂ ତଥା ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତିଙ୍କ ଧର୍ମପତ୍ନୀ ଇଂ ସୁଶ୍ରୀ ସେଫାଳି ମହାନ୍ତିଙ୍କର ୩୫ ବର୍ଷ ବୟସରେ ହୃଦ୍ ଘାତରେ ଅକାଳ ବିୟୋଗ ଘଟିଛି । ସେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଜଣେ ମେଳାପୀ, ପରୋପକାରୀ, ମିଷ୍ଠଭାଷୀ, ସରଳ, ନିଷ୍କପଟ, ବୁଦ୍ଧିଜୀବି ଓ ରାଜନେତ୍ରୀ ଭାବରେ ସ୍ଥାନୀୟ ଅଂଚଳରେ ବେଶ୍ ପରିଚିତ ଥିଲେ । ସେ ଜଣେ କର୍ମତତ୍ପର, କର୍ତବ୍ୟନିଷ୍ଠା ମହିଳା ହୋଇଥିବାରୁ ଲିଙ୍ଗିପୁର ପଂଚାୟତର ୧ ନମ୍ବର ଓାର୍ଡର ଅଧିବାସୀମାନେ ୨୦୨୨-୨୭ ବର୍ଷ ପାଇଁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିôଲେ । ସେ ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ଜାଗା ଆଣିବା ସହିତ ସମସ୍ତ ମୁକୁଳା ଟ୍ରାନ୍ସଫରମରରେ ତାର ଜାଲି ଘେରାଇଥିଲେ । ତାଙ୍କର ଅକାଳ ବିୟୋଗରେ ଅଂଚଳବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି ଓ ଶୋକର ଛାୟା ଖେଳି ଯାଇଛି । ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ ସମ୍ପନ୍ନ କରାଯାଇଛି ।