ଅଙ୍ଗନୱାଡ଼ି କେନ୍ଦ୍ରରେ ଅବ୍ୟବସ୍ଥା କୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଜୁରିପଲ୍ଲୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ନାନା ଅବ୍ୟବସ୍ଥା ଲାଗିରହିଛି। ଶନିବାର ଘଟଣା ପଦାକୁ ଆସିବା ପରେ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ଅଙ୍ଗନୱାଡି କେନ୍ଦ୍ରରେ ଗତ ୩ ଦିନ ହେଲା ରନ୍ଧାଖାଦ୍ୟ ପାଉନାହାନ୍ତି ଶିଶୁ ।ଏନେଇ ଶିଶୁ ଓ ଅଭିଭାବିକା ଅଭିଭାବକ ମାନେ ଶନିବାର ଅଙ୍ଗନୱାଡ଼ି କେନ୍ଦ୍ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦୀର୍ଘ ସମୟ ଧାରଣାରେ ବସିଥିଲେ। ପରେ ଘଟଣାର ସମାଧାନ କରାଯିବ ବୋଲି ଦିଗପହଣ୍ଡି ସିଡିପିଓ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପ୍ରକାଶ ଥାଉ କି ଦୀର୍ଘ ୬ ମାସ ହେଲା ଅଙ୍ଗନୱାଡି କର୍ମୀ କେ. ମାହେଶ୍ଵରୀ ରେଡ୍ଡୀ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ପିଲା ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଆସୁଥିଲେ।କିନ୍ତୁ ଗୁରୁବାର ଠାରୁ ନିଜ ପାଖରେ ଟଙ୍କା ନଥିବା ହେତୁ ସେ ଆଉ ରନ୍ଧାଖାଦ୍ୟ କିମ୍ବା ଗର୍ଭବତୀ, ପ୍ରସୂତି ଏବଂ ଶିଶୁମାନଙ୍କୁ ଅଣ୍ଡା ମଧ୍ୟ ଦେଇପାରିବେ ନାହିଁ ବୋଲି ପ୍ରଶାସନ କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ଅଙ୍ଗନୱାଡ଼ି କର୍ମୀ ଜଣକ ଗତ ଅଗଷ୍ଟ ୧୯ ତାରିଖରେ ସମସ୍ୟାର ସମାଧାନ ପାଇଁ ସିଡିପିଓ ଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ସରପଞ୍ଚ ଙ୍କ ଅବହେଳା ଯୋଗୁଁ ଶିଶୁମାନେ ରନ୍ଧା ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥିବା ବହୁ ସଂଖ୍ୟକ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ଅଙ୍ଗନୱାଡି କର୍ମୀ ଜଣକ ନିଜ ହାତରୁ ଟଙ୍କା ଖର୍ଚ୍ଚ କରୁଥିଲେ।ଏହି କଥା ଶୁଣିଲେ ଆପଣ ଚକିତ ନ ହୋଇ ରହି ପାରିବେ ନାହିଁ।କାରଣ ଅଙ୍ଗନୱାଡି କେନ୍ଦ୍ରର ବ୍ୟାଙ୍କ୍ ପାସ୍ ବୁକ୍ ଅପଡେଟ୍ ପାଇଁ ତଥା ନୂତନ ପାସ୍ ବୁକ୍ କରିବା ପାଇଁ ସ୍ଥାନୀୟ ୱାର୍ଡ ମେମ୍ବର କିମ୍ବା ସରପଞ୍ଚ ଙ୍କ ଦସ୍ତଖତ ନିହାତି ଦରକାର। ସରପଞ୍ଚ ନିର୍ବାଚନ ରେ ଗ୍ରାମବାସୀ ସମର୍ଥନ କରିନଥିବା କାରଣରୁ ୱାର୍ଡ ସଭ୍ୟ ଏବଂ ସରପଞ୍ଚ ଅଙ୍ଗନୱାଡ଼ି କର୍ମୀ ଙ୍କୁ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ଏନେଇ ଅଙ୍ଗନୱାଡି କର୍ମୀ ଜଣକ ୱାର୍ଡ ମେମ୍ବର ଏବଂ ସରପଞ୍ଚ ଙ୍କୁ ବହୁବାର ଅବଗତ କରାଇଥିଲେ ମଧ୍ୟ ତାଙ୍କୁ କେହି ସହଯୋଗ କରୁ ନାହାନ୍ତି।ଯାହା ଫଳରେ ବ୍ୟାଙ୍କରୁ ଟଙ୍କା ଉଠାଣ ହୋଇପାରୁନାହିଁ । କଥା କେବଳ ଏତିକିରେ ଅଟକି ନାହିଁ।ଏନେଇ ସେ ଜିଲା ପାଳ ଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିବା କହିଛନ୍ତି ।ଏତେ ସବୁ ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ଅନ୍ୟପକ୍ଷରେ ଏହି ଗୋଟିଏ ଅଙ୍ଗନୱାଡ଼ି କୋଠା ରେ ୨ ଟି ଅଙ୍ଗନୱାଡି କେନ୍ଦ୍ର ଚାଲୁଅଛି।ଅନ୍ୟ ଅଙ୍ଗନୱାଡ଼ି କେନ୍ଦ୍ର ର କୋଠା ନିର୍ମାଣ ହେବାର ବହୁ ବର୍ଷ ପରେ ମଧ୍ୟ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ନୂତନ କୋଠା ଉଦଘାଟନ କରାଯାଉନାହିଁ କୁ ଅଙ୍ଗନୱାଡି କର୍ମୀ ଙ୍କୁ ତାହା ହସ୍ତାନ୍ତର ହୋଇନାହିଁ। ଯାହା ଫଳରେ ୨ ଜଣ ଅଙ୍ଗନୱାଡି କର୍ମୀ ଗୋଟିଏ କୋଠା ରେ ୨ ଟି କେନ୍ଦ୍ରର ଶିଶୁଙ୍କୁ ଶିକ୍ଷା ଦାନ କରୁଛନ୍ତି । ଏନେଇ ସି ଡି ପି ଓ ପୁଷ୍ପାଞ୍ଜଳି ଶତପଥୀ ଙ୍କୁ ପଚାରିବାରୁ ଗ୍ରାମବାସୀ ଙ୍କ ସହ ଆଲୋଚନା କରାଯାଇ ଖୁବଶୀଘ୍ର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।