କେନ୍ଦ୍ରାପଡାରେ ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ମୁଶାୟାରା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସ୍ୱାଧୀନତାର ୭୫ବର୍ଷ ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ ଉପଲକ୍ଷେ କେନ୍ଦ୍ରାପଡାରେ ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ (ମୁଶାୟାରା) ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ରାଜ୍ୟ ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟ ଉର୍ଦ୍ଦୁ ଏକାଡେମୀର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ଉତ୍ସବକୁ ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ରାଜ୍ୟ ଉର୍ଦ୍ଦୁ ଏକାଡେମୀ ସଚିବ ଡଃ. ମୁସିର ଆଲମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡାକ୍ତର ପରଭେଜ ଅକ୍ତର, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, କେନ୍ଦ୍ରାପଡା ନଜୱାନ ୟୁନିଅନର ମୁଖ୍ୟ ମୀର ମହମ୍ମଦ ଅମୀର, କାଉନସିଲର ଉମେଶ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଦ୍ୱାରା କେନ୍ଦ୍ରାପଡାରେ ଭାଇଚାରା ବୃଦ୍ଧି ପାଇବ ବୋଲି ବକ୍ତବ୍ୟ ରଖିଥିଲେ । ଏହି କବି ସମ୍ମିଳନୀରେ ବିଭିନ୍ନ ରାଜ୍ୟରୁ ଆସିଥିବା ବହୁ ଖ୍ୟାତନାମା ଉର୍ଦ୍ଦୁ କବି ବା ସାୟରମାନେ ଯୋଗଦେଇ ବିଭିନ୍ନ ଦେଶଭକ୍ତି ସଂଗୀତ ଓ ସାୟରୀମାନ ଗାନ କରିଥିଲେ । ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସାୟରମାନଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସେକ ଲିୟାକତ ଅଲ୍ଲୀ(ନସ୍ରୁ), କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାର, ମୀର ସଫିକ, ସାମ୍ବାଦିକ ସାବିର ଖାନ, ସେକ ମାମୁର, ପୂର୍ବତନ କାଉନସିଲର ସେକ ରହେମତ(ସାନ), ସେଖ ମେହେବୁବ, ଅମଜଦ ଖାନ, ସେକ ଓହିଦୁଲ ହକ, ସେକ ମତ୍ତିନ ପ୍ରମୁଖ ଉପସ୍ଥିତ ରହି ସାୟରମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସାହିତ୍ୟିକ, କବି, ବୁଦ୍ଧିଜୀବୀଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ସଂପ୍ରଦାୟର ଲୋକମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।