ଯୁବକକୁ ପିଟିଲେ ଅତିରିକ୍ତ ତହସିଲଦାର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହିର ଅତିରିକ୍ତ ତହସିଲଦାର ଜଣେ ସ୍ଥାନୀୟ ଯୁବକକୁ ମାଡ ମାରିବା ପ୍ରତିବାଦରେ ଆଜି ୫୦ରୁ ଉର୍ଦ୍ଧ ଯୁବକ ହାଟଡିହି ଠାରେ ରାସ୍ତାରୋକ କରିବା ଦ୍ୱାରା ଆନନ୍ଦପୁର ଭଦ୍ରକ ରାସ୍ତାରେ ତିନିଘଣ୍ଟା ଧରି ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ମାଡ ଖାଇଥିବା ହାଟଡିହିର ଯୁବକ ମନୋଜ ରଣାଙ୍କ ଅଭିଯୋଗ ଅନୁଯାଇ ସେ ଗାଁର କିଛି ସାଙ୍ଗଙ୍କ ସହ ପ୍ରତିଦିନ ଭଳି ଗତକାଲି ରାତିରେ ତହସିଲ ନିକଟସ୍ଥ ପୋଖରୀ କୁଳରେ ବସିଥିଲେ । ଦୁଇଟି ବାଲି ବୋଝେଇ ଗାଡି ସେହି ରାସ୍ତାରେ ଠିଆ ହୋଇଥିବାରୁ ଏମାନେ ଯାଇ କାହିଁକି ସାର ଏଠି ଗାଡି ଗୁଡିକ ରଖୁଛନ୍ତି, ଭାରିଯାନ ଯୋଗୁଁ ରାସ୍ତାଟି ନଷ୍ଟ ହୋଇ ଯାଉଛି, ଆଉ ଦିନ କେଇଟାପରେ ଆମେ ରାବଣପୋଡି କରିବୁ, ସୋତେବେଳେକୁ ଆମେ ହଇରାଣ ହେବୁ ବୋଲି କହିଥିଲେ । ଏହାକୁନେଇ ଅତିରିକ୍ତ ତହସିଲଦାର ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଏହି ସମୟରେ ଗାଡି ଗୁଡିକର ଫଟୋ ଉଠାଇବାରୁ ଅତିରିକ୍ତ ତହସିଲଦାର ରାଗିଯାଇ ମନୋଜକୁ ପିଟିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଭୟଭୀତ ହୋଇ ମନୋଜ ଓ ତାର ସାଙ୍ଗମାନେ ଘରକୁ ପଳାଇ ଆସିଥିଲେ । ଆଜି ସକାଳେ ଏହି ଘଟଣା ପ୍ରଚାରିତ ହୋଇଯିବା ପରେ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ୫୦ରୁ ଉର୍ଦ୍ଧ ଯୁବକ ଗେଟବଜାର ନିକଟରେ ରାସ୍ତାରେ ପଥର ଥୋଇ ରାସ୍ତା ଅବରୋଧ କରିଥିଲେ । ଅତିରିକ୍ତ ତହସିଲଦାର ଘଟଣାସ୍ଥଳକୁ ଆସି କ୍ଷମା ମାଗିବା ପରେ ଯାଇ ରାସ୍ତାରୋକ ହଟିବ ବୋଲି କହି ଦିନ ୧୦ଟା ଠାରୁ ରାସ୍ତା ରୋକ କରିଥିଲେ । ଫଳରେ ଉଭୟ ପଟରେ ଅନେକ ବସ, ଟ୍ରକ ସମେତ ବହୁ ଛୋଟଗାଡି ମଧ୍ୟ ଅଟକି ଯାଇଥିଲା । ଖବରପାଇ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ଯୁବକ ମାନଙ୍କ ସହିତ ଆଲୋଚନା କରିବାପରେ ଯାତ୍ରୀବାହୀ ଯାନ ଗୁଡିକୁ ଛାଡି ଦେଇଥିଲେ । ଦିନ ଗୋଟାଏ ବେଳେ ସ୍ଥାନୀୟ କିଛି ଭଦ୍ରବ୍ୟକ୍ତିଙ୍କ ଉଦ୍ୟମକ୍ରମେ ଅତିରିକ୍ତ ତହସିଲଦାର ନନ୍ଦିପଦା ଥାନାକୁ ଯାଇ ଉକ୍ତ ଯୁବକଙ୍କ ସହିତ ଆଲୋଚନା କରି ବିବାଦର ସମାଦାନ କରିବାପରେ ଯାଇ ରାସ୍ତାରୋକ ହଟିଥିଲା । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସଙ୍କୁ ପଚାରିବାରେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ