ଜିଲ୍ଲା ସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୩ ତମ ପବିତ୍ର ଗାନ୍ଧୀ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ପୋଲିସ୍ ପ୍ୟାରେଡ ପଡିଆ ସମ୍ମୁଖ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମହା ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରାତଃ ୫ ଘ. ସମୟରେ ଡାକବାଜି ଯନ୍ତ୍ର ଦ୍ବାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତେ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ନବ ନିର୍ମିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସୁନ୍ଦର ପ୍ରତିମୂର୍ତ୍ତି ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ମାନ୍ୟବର ବିଧାୟକ ସୁବାସ ଚନ୍ଦ୍ର ବେହେରା, ମାନନୀୟା ଅଧ୍ୟକ୍ଷା ବିଜ୍ଞାପିତ ଅଞ୍ଚଳ ପରିଷଦ ଶର୍ମିଷ୍ଠା ପ୍ରଧାନ, ମାନନୀୟ ଉପାଧ୍ୟକ୍ଷ ଜି. ପାପା ରାଓ, ପୂର୍ବତନ ବିଧାୟ ଅଶୋକ କୁମାର ଚୌଧୂରୀ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଙ୍କ କରକମଳରେ ଉଦ୍ଘାଟନ କରାଯାଇଥିଲା । ଅତିଥି ମାନଙ୍କ ଦ୍ବାରା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ପ୍ରଦୀପ ପ୍ରଜ୍ଜଳନ ପରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ବିଶିଷ୍ଟ କଳାକାର ଗଣେଶ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛତ୍ରପୁର କଳା ବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ବାରା ବୈଷ୍ଣବ ଜନତେ ସଙ୍ଗୀତ ପରିବେଷଣ କରାଯାଇଥିଲା । ପବିତ୍ର ଶ୍ରୀମଦ୍ଭଗବତ ଗୀତା କବିରାଜ ବଟକୃଷ୍ଣ ତ୍ରିପାଠୀ, ପବିତ୍ର କୋରାନ୍ ଶେଖ୍ ମହମ୍ମଦ ସୟଦ୍ ଓ ପବିତ୍ର ବାଇବେଲ ଚନ୍ଦ୍ର ଶେଖର ମଲ୍ଲିକଙ୍କ ଦ୍ବାରା ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଗାନ୍ଧିଜୀ ଥିଲେ ସର୍ବ ଧର୍ମ ସମନ୍ବୟର ପ୍ରତୀକ ଏବଂ ସେ ସମସ୍ତ ଧର୍ମକୁ ଆପଣାଇଥିଲେ ବୋଲି ସୂଚନା ପ୍ରଦାନ କରିଥିଲେ । ଅହିଂସା ଅସ୍ତ୍ରକୁ ପାଥେୟ କରି ଗାନ୍ଧିଜୀ ଦେଶକୁ ସ୍ବାଧୀନତା ଆଣିଥିଲେ । ଏଣୁ ସମାଜକୁ ଦିଗ୍ ଦର୍ଶନ ଦେବା ପାଇଁ ଅହିଂସାକୁ ଅସ୍ତ୍ର କରି ସମାଜକୁ ଆଗେଇ ନେବା ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ତାଙ୍କ ଅଭିଭାଷଣରେ ବ୍ୟକ୍ତକରି ଥିଲେ । ଅହିଂସା ଓ ସ୍ବଚ୍ଛତା ହେଉଛି ଦୁଇଟି ମାର୍ଗ । ଅହିଂସା ମାର୍ଗରେ ଗାନ୍ଧିଜୀ ସ୍ବାଧୀନତା ଆଣିଥିଲେ ଏବଂ ସ୍ବଚ୍ଛତା ମାର୍ଗକୁ ଆପଣାଇଲେ ଆମେ ସୁସ୍ଥ ଓଡିଶା ଗଠନ କରିପାରିବା ବୋଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ କହିଥିଲେ । ଅହିଂସା ଓ ସତ୍ୟ ମାର୍ଗରେ ଗମନ କରିବା ସହ ସ୍ବଚ୍ଛତା ଉପରେ ଦୃଷ୍ଟି ଦେବାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଆହ୍ବାନ ଦେଇଥିଲେ । ଆନ୍ଦୋଳନ ଓ ହିଂସାକୁ ଛାଡି ଅହିଂସା ମାର୍ଗକୁ ଆପଣାଇବା ପାଇଁ ଶ୍ରୀମତୀ ପ୍ରଧାନ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଛତ୍ରପୁର ମାନ୍ୟବର ବିଧାୟକ ତାଙ୍କ ଅଭିଭାଷଣରେ ଗାନ୍ଧିଜୀଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣୀତ ହେବାପାଇଁ ଆହ୍ବାନ ଦେବା ସହ ଅହିଂସା ଏପରି ଏକ ଅସ୍ତ୍ର ତାହା ସମସ୍ତ ଅସ୍ତ୍ର ଠାରୁ ଶକ୍ତିଶାଳୀ ବୋଲି ଜଣାଇଥିଲେ । ଗାନ୍ଧିଜୀଙ୍କର ରାମରାଜ୍ୟ ଓ ଗ୍ରାମ ସ୍ବରାଜ ଦୁଇଟି ସ୍ବପ୍ନ ଥିଲା । ଏଣୁ ସୁନ୍ଦର ସମାଜ ଗଠନ ପାଇଁ ଅହିଂସା ମାର୍ଗକୁ ସମସ୍ତେ ଆପଣାଇବା ଉଚିତ୍ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଜିଲ୍ଲା ପରିଷଦ ମାନନୀୟା ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ଗାନ୍ଧିଜୀଙ୍କ ସରଳ ଜୀବନଯାପନ, ସ୍ବଦେଶୀ ଦ୍ରବ୍ୟ ବ୍ଭବହାର ଉପରେ ଆଲୋକପାତ କରିଥିଲେ । ଗାନ୍ଧିଜୀ ବିଶ୍ବକୁ ମାନବିକତାର ଧର୍ମ ଉପରେ ଶିକ୍ଷା ଦେଇଥିଲେ ଏବଂ ତାଙ୍କରି ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣୀତ ହୋଇ କାର୍ୟକଲେ ଦେଶର ପ୍ରଗତି ସୁନିଶ୍ଚିତ ବୋଲି ଶ୍ରୀମତୀ ସ୍ବାଇଁ କହିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପ୍ରଚେଷ୍ଟାରେ ଗାନ୍ଧିଜୀଙ୍କ ସୁନ୍ଦର ପ୍ରତିମୂର୍ରି ସ୍ଥାପିତ ହୋଇପାରିଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଥିଲେ । ଏଥିପାଇଁ ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦା ନନ୍ଦ ନାୟକଙ୍କ ଉଦ୍ୟମ ମଧ୍ୟ ପ୍ରଶଂସନୀୟ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା ଙ୍କ ସହଯୋଗରେ କଳାବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ବାରା ଭଜନ ସମାରୋହ ସଙ୍ଗୀତ ବିଚିତ୍ରା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଛତ୍ରପୁରର ବହୁ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ସାମ୍ବାଦିକ ବନ୍ଧୁଗଣ, ସମାଜ ସେବୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ