ମୃତ୍ୟୁ ପରେ ନିଜ ଚକ୍ଷୁ ଦାନ କଲେ କୁନି ଝିଅ ସନାୟା
ନିମାପଡ଼ା, (ସନ୍ତୋଷ ଦାଶ):ଏ ସଂସାର ରେ ସବୁ କିଛି ମିଛ, ସତ୍ୟ ଏକ ମାତ୍ର ମୃତ୍ୟୁ। ତେବେ ମୃତ୍ୟୁ ପୁର୍ବରୁ ଓ ପରେ ଯଦି କିଏ ଅନ୍ୟ କୁ ସାହାଯ୍ୟ ସହଯୋଗ କରିପାରିଲା ସେ ହିଁ ମହାନ ବ୍ୟକ୍ତି ର ପରିଚୟ ପାଏ। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ରେଞ୍ଚ ଶାସନ ଗ୍ରାମ ର ୧୨ବର୍ଷୀୟା କୁନି ଝିଅ ସନାୟା ମହାନ୍ତି।ଏଭଳି ଏକ ମହତ କାର୍ଯ୍ୟ କରି ମୃତ୍ୟୁ ବରଣ କରିଥିଲେ ବି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଆଉ ଚିରଦିନ ପାଇଁ ଅମର ବି ହୋଇ ଯାଇଛନ୍ତି।ସନାୟା ହୃଦରୋଗ ରେ ପୀଡ଼ିତ ଥିଲେ। ସେ ଚିକିତ୍ସା ପାଇଁ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଙ୍କ ଠାରୁ ତାଙ୍କ ମୃତ୍ୟୁ ନିଶ୍ଚିତ ଜାଣି ସେ ତାଙ୍କ ମା ସବିତା ମହାନ୍ତି ଙ୍କୁ କହିଥିଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଚକ୍ଷୁକୁ କାହାରିକୁ ଦାନ କରିବାକୁ। ସେ ମୃତ୍ୟୁ ବରଣ କରିବା ପରେ ମଧ୍ୟ ତାଙ୍କ ଚକ୍ଷୁ ସାହାଯ୍ୟ ରେ ଏ ଦୁନିଆ କୁ ଦେଖିପାରିବେ ଆଉ ତାଙ୍କ ଚକ୍ଷୁ ପାଇ ଆଉ ଜଣେ ଦିବ୍ୟାଙ୍ଗ ବି ଏ ସୁନ୍ଦର ପୃଥିବୀ କୁ ଦେଖି ପାରିବେ। ତାଙ୍କ ଶେଷ ଇଛା କୁ ପୂରଣ କରିବାକୁ ତାଙ୍କ ମା ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ କୁ ଏ ସମ୍ପର୍କ ରେ ଜଣାଇଥିଲେ। ଗତ ଶୁକ୍ରବାର ଦିନ ସନାୟା ଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ର ଡାକ୍ତର ମାନେ ମୃତ ସନାୟା ଙ୍କ ଦୁଇ ଚକ୍ଷୁ କୁ ସଂଗ୍ରହ କରି ଚକ୍ଷୁ ବ୍ୟାଙ୍କ ରେ ରଖିଛନ୍ତି। କୁନି ଝିଅ ସନାୟା ର ଏହି ମହତ କାର୍ଯ୍ୟ ଏବେ ସମଗ୍ର ନିମାପଡା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ତାଙ୍କ ମା ସବିତା କହିଛନ୍ତି ସନାୟା ପରି ଝିଅ ପାଇ ଆମେ ଗର୍ବିତ। ତା ଇଚ୍ଛା ରେ ଯଦି ଆଉ କେହି ଏ ସୁନ୍ଦର ପୃଥିବୀ କୁ ଦେଖି ପାରିଲା ଆମେ ବି ଜାଣିବୁ ଆମ ଝିଅ ମୃତ୍ୟୁ ବରଣ କରିଥିଲେ ବି ତାର ଆତ୍ମା ଏବେ ବି ଆମ ପାଖରେ ଅଛି। କୋମଳ ବୟସ ରେ ସନାୟା ଯେଉଁ ନିଷ୍ପତ୍ତି ନେଇଛି ତାହା ଆଜି ର ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ନିଶ୍ଚୟ।