ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘର ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସି.ଆଇ.ଟି.ୟୁ. ଅନୁବନ୍ଧିତ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଙ୍ଘର କେନ୍ଦ୍ରାପଡା ଜିଲ୍ଲା ଦ୍ୱିତୀୟ ସମ୍ମିଳନୀ ଶୁକ୍ରବାର ପୈାରସଂସ୍ଥା ଟାଉନହଲ ପରିସରରେ ୩ଶହରୁ ଉର୍ଦ୍ଧ୍ୱ ପାଚିକାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗତ ୩ବର୍ଷ ମଧ୍ୟରେ ଯେଉଁ ପାଚିକା ଭଉଣୀମାନଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ସ୍ମୃତି ଉଦେଶ୍ୟରେ ଏକ ମିନିଟ ଶ୍ରଦ୍ଧା ନିବେଦନ କରାଯାଇଥିଲା । ୟୁନିଅନର ସଭାପତି ସ୍ନେହଲତା ଗାହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଉଦଘାଟନୀ ବକ୍ତବ୍ୟ ରଖିଥିଲେ ସି.ଆଇ.ଟି.ୟୁ. ରାଜ୍ୟ ନେତା ଜଗତଜୀବନ ଦାଶ । ଜିଲ୍ଲା ସମ୍ପାଦକ ନିର୍ମଳା ସିଂହ ସମ୍ପାଦକୀୟ ପାଠ କରିଥିଲେ ଓ ରିପୋର୍ଟ ଉପରେ ଉପସ୍ଥିତ ପ୍ରତିନିଧିମାନେ ଆଲୋଚନା କରିଥିଲେ । ପାଚିକାମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତି ସମ୍ମିଳନୀରେ କ୍ଷୋଭ ପ୍ରକାଶ କରାଯାଇଥିଲା । ତୁରନ୍ତ କେନ୍ଦ୍ର ସରକାର ମାସିକ ଭତ୍ତା କୋଟା ବାବଦରେ ଛଅଶହ ଟଙ୍କା ଦେବା, ଷାଠିଏ ବଦଳରେ ଅବସର ସୀମା ବାଷଠୀ ବର୍ଷ କରାଯିବା, ଅବସର ବେଳେ ଦଶ ହଜାର ଟଙ୍କା ପ୍ରଦାନ କରାଯିବା, ବର୍ଷକୁ ଦୁଇଖଣ୍ଡ ଶାଢୀର ଅର୍ଥ ପ୍ରଦାନ କରିବା, ଓଡିଶା ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ୨୮ମାସର ବକେୟା ପାଉଣା ପ୍ରଦାନ କରିବା, ପ୍ରତି ସ୍କୁଲରେ ରୋଷେଇ ପାଇଁ ରନ୍ଧନ ଗ୍ୟାସ ଯୋଗାଇଦେବା, ସ୍ୱାସ୍ଥ୍ୟପ୍ରଦ ପାନୀୟ ଜଳର ବ୍ୟବସ୍ଥା କରିବା, ପ୍ରକ୍ସି ପାଚିକାମାନଙ୍କ ଜରିଆରେ କାମ ନଚଳାଇ ୫୦ଜଣରୁ ଉର୍ଦ୍ଧ୍ୱ କ୍ଷେତ୍ରରେ ପାଚିକା ନିଯୁକ୍ତି ଦେବା ପ୍ରଭୃତି ଦାବି ଗୁଡିକ ଉପରେ ସମ୍ମିଳନୀରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ସମ୍ମିଳନୀକୁ ସମର୍ଥନ କରି ଓଡିଶା କୃଷକ ସଭାର ରାଜ୍ୟ ଯୁଗ୍ମ ସମ୍ପାଦକ ଗୟାଧର ଧଳ, ଜିଲ୍ଲା ସମ୍ପାଦକ ବିଜୟ ଦାସ, ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, ଓସିଡବ୍ଲୁ ଜିଲ୍ଲା ସମ୍ପାଦକ ମାଧବ ଦାସ, ସଭାପତି ରମେଶ ମଲିକ, ରବୀନ୍ଦ୍ର ମହାକୁଡ, ଅଶୋକ ନାଥ, ମାନଗୋବିନ୍ଦ ଷଡଙ୍ଗୀ, ମଥୁରୀ ମଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ଆଗାମୀ ତିନି ବର୍ଷ ପାଇଁ ସ୍ନେହଲତା ଗାହାଣ ସଭାପତି, ନିର୍ମଳା ସିଂହ ସମ୍ପାଦିକା, ଧୀବର ବେହେରା କୋଷାଧ୍ୟକ୍ଷ ଓ ୩ଜଣ ଉପସଭାପତି, ୩ଜଣ ସହସମ୍ପାଦକ, ୧୩ଜଣ ଜିଲ୍ଲା କମିଟି ସଭ୍ୟଙ୍କ ସମେତ ମୋଟ ୨୨ଜଣ ୟୁନିଅନର ଜିଲ୍ଲା କମିଟିକୁ ନିର୍ବାଚିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ