କମଳ ଲୋଚନ ହାଇସ୍କୁଲ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଘଟଣା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଘୋଡାଂଶ ଗାଁର ନବମ ଶ୍ରେଣୀ ଛାତ୍ର ଶ୍ରୀତମ ନାୟଜଙ୍କ ମୃତ୍ୟୁ ଘଟଣାରେ ସୁଦକଣ୍ଠି ସ୍ଥିତ କମଳଲୋଚନ ହାଇସ୍କୁଲର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କୁ ଶୁକ୍ରବାର ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବିତ କରିବା ପରେ ଶନିବାର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଧାରଣା ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଅଭିଯୋଗ ମୁତବାକ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଜଣେ ଆର୍ଦଶ ଶିକ୍ଷକ ଅଟନ୍ତି । ସେ ଅଂଚଳର ଜଣେ ଭଲ ଗଣିତ ଶିକ୍ଷକ ଭାବେ ଜଣାଶୁଣା ହୋଇଥିବାରୁ ଦୀର୍ଘ ବର୍ଷ ଧରି ଛୁଟି ଦିନମାନଙ୍କରେ ବିନା ପାରିଶ୍ରମିକରେ ପିଲାମାନଙ୍କୁ ଶିକ୍ଷାଦାନ କରିଆସୁଛନ୍ତି । ଏହି ଅଂଚଳର ବହୁ ଗରିବ ପିଲା ଉପକୃତ ହେଉଛନ୍ତି । ଦୁଖଃର ବିଷୟ ଗତ ଅକ୍ଟୋବର ୨ତାରିଖରେ ବିଦ୍ୟାଳୟର ପଛପାଶ୍ୱର୍ରେ ଥିବା ପୋଖରୀରେ ବୁଡି ଶ୍ରୀତମଙ୍କର ମୃତ୍ୟୁ ଘଟିଛି । ଏହି ମୃତ୍ୟୁ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ଅଗୋଚରରେ ହୋଇଥିଲେ ମଧ୍ୟ କେଉଁ କାରଣରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତାହା ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତୀତରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ପାଇଁ ଉକ୍ତ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ତେଣୁ ଆଗାମୀ ଏକ ସପ୍ତାହ ମଧ୍ୟରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଧାରଣା ଦେଇଥିବା ଅଭିଭାବକମାନେ ଚେତାବନୀ ଦେବା ସହିତ ଧାରଣାରୁ ଓହରିଛନ୍ତି । ଏତଦ୍ ବ୍ୟତିତ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ଦାବିପତ୍ରରେ ଅଭିଭାବକ ମିନୁପ୍ରଭା କାଠୁଆ, ଜିତାଜଂଳି କାଠୁଆ, ସସ୍ମିତା କାଠୁଆ, କବିତା ସାହୁ, ସଂଜୁକ୍ତା ସାହୁ, ବିଶ୍ୱନାଥ ସ୍ୱାଇଁ, ପ୍ରତାପ ସ୍ୱାଇଁ, ଉର୍ମିଳା ସାହୁଙ୍କ ସମେତ ଶତାଧିକ ଅଭିଭାବକଙ୍କର ସ୍ୱାକ୍ଷର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ