ଜିଲାପାଳଙ୍କୁ ଘେରିଲେ ଗୋଧିବସା ବସ୍ତିବାସିନ୍ଦା

ବାଲେଶ୍ୱର, (ସରୋଜ ପଣ୍ଡା):ରେଳ ବିଭାଗର ଘନ ଘନ ଉଚ୍ଛେଦ ନୋଟିସକୁ ନେଇ ବାଲେଶ୍ୱର ପୌରାଞ୍ଚଳର ରେଳଧାରଣା ପାଶ୍ୱର୍ ରେଲୱେ ଜାଗାରେ ଦୀର୍ଘଦିନ ଧରି ବସବାସ କରିଆସୁଥିବା ବସ୍ତିବାସିନ୍ଦା ଥଇଥାନ ପାଇଁ ଜିଲାପାଳ ଓ ବିଧାୟକଙ୍କୁ ପୁଣିଥରେ ଦାବି କରିଛନ୍ତି । ପୌରପାଳିକାର ୨୨ ନଂ ୱାର୍ଡ଼ର ଗୋଧିବସା ବସ୍ତି ଅଞ୍ଚଳରୁ ଶତାଧିକ ମହିଳା ଶୁକ୍ରବାର ସଂଧ୍ୟାରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ରେଳ ଷ୍ଟେସନ ସମ୍ପ୍ରସାରଣ ପାଇଁ ବିଭାଗ ପକ୍ଷରୁ ସେମାନଙ୍କୁ ଉଠିଯିବା ପାଇଁ ବାରମ୍ବାର ନୋଟିସ ପ୍ରଦାନ ସହ ଉଚ୍ଛେଦର ଚେତାବନୀ ଦିଆଯାଇଥିବା ବେଳେ ତୁରୁନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନେବାକୁ ବସ୍ତି ମହିଳାମାନେ ଦାବି କରିଛନ୍ତି । ଗୋଧିବସା ଅଞ୍ଚଳର କିଛି ପରିବାରଙ୍କୁ ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାରେ ଭୂମି ଅଧିକାର ପ୍ରମାଣପତ୍ର ମିଳିଥିବା ବେଳେ ବହୁ ପରିବାରଙ୍କୁ ଅଦ୍ୟାବଧି ତାଲିକାଭୁକ୍ତ ବି କରାଯାଇ ନାହିଁ । ତେବେ ସମସ୍ତଙ୍କୁ ଜାଗା ପ୍ରମାଣପତ୍ର ପ୍ରଦାନ ସହ ଥଇଥାନ ପାଇଁ ବସ୍ତିବାସିନ୍ଦାମାନେ ଦାବି କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଖବର ପାଇ ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ୨୨ ନଂ ୱାର୍ଡ଼ର କାଉନସିଲର କବିତା ମୁର୍ମୁ ଧାରଣାରତ ବସ୍ତିବାସିନ୍ଦାଙ୍କ ନିକଟରେ ପହଞ୍ଚି ସେମାନଙ୍କ ଆପତ୍ତି ଶୁଣିବା ପରେ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ଖୁବଶୀଘ୍ର ଏ ବାବଦରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଉଭୟ ଜିଲାପାଳ ଓ ବିଧାୟକ ପ୍ରତିଶ୍ରୁତି ଦେବା ପରେ ବସ୍ତି ବାସିନ୍ଦାମାନେ ଫେରିଯାଇଥିଲେ । ତେବେ ରେଳ ଜାଗାରେ ଥାଇ ସେମାନଙ୍କୁ ଜାଗାମିଶନ ଯୋଜନାରେ ଭୂମି ଅଧିକାର ପ୍ରମାଣପତ୍ର ଦେବା ଓ ପୌରପାଳିକା ପକ୍ଷରୁ ଅଦ୍ୟାବଧି ଥଇଥାନ ନ କରିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ରେଳ ଷ୍ଟେସନ ସମ୍ପ୍ରସାରଣ ଓ ଉନ୍ନତିକରଣର ଯେମିତି ଆବଶ୍ୟକତା ରହିଛି, ବିସ୍ତି ବାସିନ୍ଦାଙ୍କ ଥାଇଥାନ ମଧ୍ୟ ଜରୁରୀ ହୋଇଛି । ଗତ ପୌର ନିର୍ବାଚନ ପୂର୍ବରୁ ରେଳ ବିଭାଗର ନୋଟିସ ପାଇ ଏହି ବସ୍ତିବାସିନ୍ଦାମାନେ ଏହିଭଳି ସଂଧ୍ୟା ସମୟରେ ଜିଲାପାଳଙ୍କୁ ଘେରିଥିଲେ । ସେତେବେଳେ ବିଧାୟକ ତ୍ତତ୍କାଳୀନ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ବିଧାୟକ ଏମିତି ପ୍ରତିଶ୍ରୁତି ଦେଇଥିଲେ । ପୌର ନିର୍ବାଚନ ପରେ ସହର ଉପକଣ୍ଠ ରେମୁଣା ବ୍ଲକ ଓ ସଦର ବ୍ଲକର ଅଞ୍ଚଳରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ସେତେବେଳେ ଉଭୟ କହିଥିଲେ । ମାତ୍ର ଅଦ୍ୟାବଧି କୌଣସି ପଦକ୍ଷେପ ନିଆ ନ ଯିବାରୁ ପୁଣିଥରେ ବସ୍ତିବାସିନ୍ଦା ଆଜି ଜିଲାପାଳଙ୍କୁ ଘେରିବାକୁ ବାଧ୍ୟ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ