ଦେଶୀ ବିଦେଶୀ ପକ୍ଷୀ ଙ୍କ କଳରବ ରେ ମୁଖରିତ ହେନ୍ତାଳ ଜଙ୍ଗଲ
ନିମାପଡ଼ା, (ସନ୍ତୋଷ ଦାଶ):ଶୀତ ଋତୁ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ର ଦେବୀ ନଦୀ ମୁହାଁଣ ର ହେନ୍ତାଳ ଜଙ୍ଗଲ । ପ୍ରତିବର୍ଷ ପରି ଚଳିତ ବର୍ଷ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନରେ ରହିଥିବା ଦେବୀ ନଦୀ ମୁହାଣ ସଂଲଗ୍ନ ଲୁଣା ଜଙ୍ଗଲ ବା ହେନ୍ତାଳ ବଣ। ବିଦେଶାଗତ ଓ ନା ନା ପ୍ରଜାତି ର ଦେଶୀ ପକ୍ଷୀ ଙ୍କର ସମାଗମର କୋଳାହଳ ଦେଖିବାକୁ ମିଳିଲାଣି ଏହି ଜଙ୍ଗଲ ରେ । ଦେବୀ ନଦୀ ମୁହାଣ ଠାରୁ କେଲୁଣୀ ମୁହାଁଣ ଯାଏଁ ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲ ରେ ଏବେ ଡେରା ପକାଇଛନ୍ତି ହଜାର ହଜାର ପକ୍ଷୀ।ପୀର ଜାହାନିଆ ଠାରୁ କେଉଟଜଙ୍ଗା ଓ କେଳୁଣୀ ମୁହାଁଣ, ଗଙ୍ଗାଦେବୀ ଠାରୁ ପାଟସୁନ୍ଦରପୁର, ଗଙ୍ଗାଦେବୀ ଠାରୁ କଣମଣ, ଓ ଗଙ୍ଗାଦେବୀ ଠାରୁ ଦେବୀନାସି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିବିଧ ପ୍ରକାରର ବିଦେଶାଗତ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳିଲାଣି । କରୋନା ମହାମାରୀ ସମୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷ ହ୍ରାସ ପାଇଥିବା ବେଳେ ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବଢ଼ିବାର ଆଶା ରହିଛି ବୋଲି କହିଛନ୍ତି ବନ୍ୟ ପ୍ରାଣୀ ସଂରକ୍ଷଣ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିବା ପକ୍ଷୀ ପ୍ରେମୀ ବିଚିତ୍ରାନନ୍ଦ ବିଶ୍ବାଳ । କାରୋନା ମହାମାରୀ ସମୟରେ ପ୍ରାୟ ୨୭ ପ୍ରଜାତିର ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ବ ପକ୍ଷୀ ଅସ୍ତରଙ୍ଗ ବନାଞ୍ଚଳରେ ଦେଖା ଯାଇଥିବା ବେଳେ, ଗତବର୍ଷ ୨୩ ପ୍ରଜାତିର ୧୦ ହଜାରରୁ କମ୍ ପକ୍ଷୀ ଆସିଥିଲେ । ଦିନକୁ ଦିନ ଦେବୀ ନଦୀ ମୁହାଁଣରେ ପ୍ରାକୃତିକ ହେନ୍ତାଳ ବଣ ବୃଦ୍ଧି ପାଇବା ହିଁ ବିଦେଶାଗତ ପକ୍ଷୀଙ୍କ ପାଇଁ ଏକ ପ୍ରକୃଷ୍ଠ ବାସସ୍ଥାନ ଭାବରେ ଉଭା ହୋଇଛି ବୋଲି ସ୍ଥାନୀୟ ପରିବେଶ କର୍ମୀମାନେ ମତବ୍ୟକ୍ତ କରିଛନ୍ତି । ଏ ନେଇ ମିଳିତ ଜାତିସଂଘ ର ଯୁବ ଅଧିବକ୍ତା ତଥା ଓଡିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ର ପରିଚାଳନା ଟ୍ରଷ୍ଟି ସୌମ୍ୟ ରଞ୍ଜନ ବିଶ୍ଵାଳ କୁହନ୍ତି, ଲୁଣା ଜଙ୍ଗଲ ପରିସଂସ୍ଥାନ ହିଁ ବିଦେଶାଗତ ପକ୍ଷୀଙ୍କ ପାଇଁ ନିରାପଦ ସ୍ଥାନ ପାଲଟିବା ସହ ସେମାନଙ୍କୁ ପ୍ରଚୁର ଖାଦ୍ୟ ମଧ୍ୟ ଏ ଅଞ୍ଚଳରେ ମିଳୁଛି । ବିଗତ ୮ ବର୍ଷ ଧରି ଲୁଣା ଜଙ୍ଗଲ ସୁରକ୍ଷା ପାଇଁ ଅବାଧ ପକ୍ଷୀ ଶିକାର ଓ ଲୁଣା ଜଙ୍ଗଲ ସୁରକ୍ଷା ନେଇ ବିଦ୍ୟାଳୟ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ବୁଦ୍ଧିଜୀବି, ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହିଁ ସାମ୍ପ୍ରତିକ ଅସ୍ତରଙ୍ଗ ଅଞ୍ଚଳର ହେନ୍ତାଳ ଜଙ୍ଗଲ ସୁରକ୍ଷା ପାଇଁ ସହାୟ ହୋଇଛି । ଏହି ବିଦେଶାଗତ ପକ୍ଷୀଙ୍କର ସୁରକ୍ଷା ଦେବା ଦିଗରେ ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦା ମିଳିତ ଭାବରେ ସଜାଗ ରହିବା ଆବଶ୍ୟକ ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି । ଏବେ ଅସ୍ତରଙ୍ଗ ର ପୋଟଳ, ଜିଉନ୍ତି ମେଘାପାଟ ଗହୀର, ଦେବୀ ନାଶି, କେଳୁଣି ମୁହାଁଣ,ଗଙ୍ଗାଦେବୀ ମୁହାଁଣ, ସହନ, ଜାହାନିଆଁ, ବଳଭଦ୍ରପୁର, କୁହୁଡ଼ି ପ୍ରଭୁତି ଅଞ୍ଚଳ ରେ ଦେଶୀ ବିଦେଶୀ ପକ୍ଷୀ ଙ୍କ ସମାଗମ ହୋଇଥିବାରୁ ବନ ବିଭାଗ ତୁରନ୍ତ ଏମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


