ଡାକ୍ତରଖାନାର ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଶହ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରେରଣ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଡାକ୍ତରଖାନାର ନବୀକରଣ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଅଞ୍ଚଳବାସୀ । ସେମାନଙ୍କ ଅଭିଯୋଗ ଅନୁଯାଇ ଦୁଇଶହରୁ ଉର୍ଦ୍ଧ ଦସ୍ତଖତ ସମ୍ବଳିତ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଡିମିରିଆ ଠାରେ ଥିବା ହୋମିଓପାଥିକ ଡାକ୍ତରଖାନାଟି ଏକ ପରିତ୍ୟକ୍ତ ଘରେ ଚାଲିଥିବା ଜଣାଯାଇଛି । ପୁର୍ବରୁ ଏହି ଡାକ୍ତରଖାନାଟି ଗାଁ ଭିତରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲୁଥିବାବେଳେ ଅନେକ ଦାବି ପରେ ସରକାରଙ୍କ ପକ୍ଷରୁ ଗାଁ ମୁଣ୍ଡରେ ଏକ ପକ୍କା ଘର ନିର୍ମାଣ କରାଯାଇଥିଲା । କିନ୍ତୁ କାମ କରୁଥିବା ଠିକାଦାର ଏହି ଘରଟିକୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଅଧାପନ୍ତରିଆ ଭାବେ ପକାଇ ରଖିବା ସହିତ ଡାକ୍ତରଖାନାକୁ ହସ୍ତାନ୍ତର କରିନଥିଲେ । ଫଳରେ ଘରଟିର କବାଟ ଝରକା ସବୁ ଭାଙ୍ଗିଯିବା ସହିତ ଗ୍ରୀଲ ଗେଟଟି ମଧ୍ୟ କଳଙ୍କି ଲାଗି ନଷ୍ଟ ହୋଇଯାଇଥିଲା । ନିମ୍ନ ମାନର କାମ ହୋଇଥିବା ଯୋଗୁଁ ବର୍ଷାଦିନେ ଘର ଛାତରୁ ପାଣି ଗଳିବା ସହିତ ବନ୍ୟା ସମୟରେ ପାଣି ପସି ଘରଟି ନଷ୍ଟ ହେବାକୁ ବସିଛି । ସ୍କୁଲ ଘରୁ ଡାକ୍ତରଖାନାଟି ସ୍ଥାନାନ୍ତରିତ ହୋଇ ଆସିବାପରେ ସେହି ଭଙ୍ଗା ବିପଦ ଶଙ୍କୁଳ ଘରେ ତାହା ଚାଲୁଥିବା ଦେଖିବାକୁ ମିଳିଛି । କେବଳ ଗୋଟିଏ କୋଠରୀ ସୁରକ୍ଷିତ ଥିବାରୁ ତାହାରି ଭିତରେ ଷ୍ଟୋର ରୁମ ସହ ରୋଗୀ ସେବା କରାଯାଉଛି । କବାଟ ଗୂଡିକ ଖସିପଡିଥିବାବେଳେ ତାକୁ ଢ଼େର ଦିଆଯାଇ ରଖାଯାଇଛି । ଛାତରୁ ଖଣ୍ଡ ଖଣ୍ଡ ହୋଇ ପ୍ଲାଷ୍ଟର ମଧ୍ୟ ଖସୁଛି । ଏପରି ଅବସ୍ଥାରେ ଡାକ୍ତରଖାନାଟି ଥିବାରୁ ତାହା ଡାକ୍ତର ଓ ସେଠାକୁ ଯାଉଥିବା ରୋଗୀ ମାନଙ୍କ ପାଇଁ ବିପଦ ପାଲଟିଛି । ଏହି ଡାକ୍ତରଖାନାଟି ଉପରେ ହାବଳେଶ୍ୱର, ଷଡଙ୍ଗ, ଓ ଅନ୍ୟ ୪ଟି ପଞ୍ଚାୟତର ଲୋକମାନେ ନିର୍ଭର କରନ୍ତି । ଆଖ ପାଖରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ ପ୍ରତିଦିନ ୩୦ରୁ ଉର୍ଦ୍ଧ ରୋଗୀ ଏଠାକୁ ଆସି ଚିକିତ୍ସା ସୁବିଧା ପାଇଥାନ୍ତି । କିନ୍ତୁ ଅଧିକାଶଂ ରୋଗୀ ଭଙ୍ଗାଘର ଭିତରକୁ ଭୟରେ ନଯାଇ ବାହାରେ ବାହାରେ ଡାକ୍ତରଙ୍କୁ ଦେଖାଇ ଔଷଧ ନେଇ ଫେରିଥାନ୍ତି । ଏହାଏକ ଆଦିବାସୀ ହରିଜନ ବହୁଳ ଅଞ୍ଚଳ ଭାବେ ପରିଚିତ । ଏ ଅଞ୍ଚଳର ଲୋକମାନେ ଛୋଟ ଛୋଟ ଶିଶୁଙ୍କୁ ଏଲୋପାଥିକ ଦେବା ବଦଳରେ ହୋମିଓପାଥିକ ଖାଇବାକୁ ଦେବାକୁ ପସନ୍ଦ କରୁଥିବାରୁ ରୋଗୀଙ୍କ ସଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଘରଟିର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଏହି ଡାକ୍ତରଖାନାଟିକୁ ନବୀକରଣ କରିବାଲାଗି ଆଇନିଜୀବି ଗଙ୍ଗାଧର ପଣ୍ଡା, ହାବଳେଶ୍ୱର ସରପଞ୍ଚ ରମାକାନ୍ତ ନାୟକ, ଷଡଙ୍ଗ ସରପଞ୍ଚଅନ୍ତର୍ଯ୍ୟାମୀ ଖଣ୍ଡେଇ, ଶୁଭମଜିତ ଓଝା, ଲକ୍ଷ୍ମୀଧର ବେହେରା, ଧନେଶ୍ୱର ସୁତାର, ଦୁର୍ଗେଶ ନନ୍ଦିନି ପଣ୍ଡା, ବସନ୍ତ କୁମାର ବେହେରା, ରବିନ୍ଦ୍ର ରାଉତ, ଶରତ ବେହେରା,ଅଚୁ୍ୟତାନନ୍ଦ ଜେନା, ସୂର୍ଯ୍ୟମଣୀ ସା, ଅଭିଜିତ ବେହେରା, କୈଳାଶ ଚନ୍ଦ୍ର ବେହେରା, କରୁଣାକର ମଲ୍ଲିକ, ଦୁଖହରି ନାୟକ, ରମାକାନ୍ତ ସେଠୀ, ଗୀତାଞ୍ଜଳୀ ବାରିକ, ଗଗନ ବିହାୀ ପଟ୍ଟନାୟକଙ୍କ ସମେତ ଦୁଇଶହରୁ ଉର୍ଦ୍ଧ ଗ୍ରାମବାସୀଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରେରଣ କରିବା ସହିତ ଏହାର ନକଲ କେନ୍ଦ୍ର ଓ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ, କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ହୋମିଓ ଇନସପେକ୍ଟର, ଆନନ୍ଦପୁର ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା, ହାଟଡିହି ବ୍ଲକର ବିଡିଓ, ପ୍ରମୁଖଙ୍କୁ ପ୍ରଦାନ କରିଛନ୍ତି । ପ୍ରଶାସନ ସେମାନଙ୍କ ଦୁଖଃ ନିଶ୍ଚିତ ଭାବେ ହୃଦୟଙ୍ଗମ କରି ଡାକ୍ତରଖାନାର ନବୀକରଣ କରିବ ବୋଲି ସେମାନେ ଆଶା ବାନ୍ଧିଥିବା ଆଇନିଜୀବି ଗଙ୍ଗାଧର ପଣ୍ଡା ବ୍ୟକ୍ତ କରିଛନ୍ତି ।


