ଅଧିକ ଶିକ୍ଷକ ପାଇଁ ଅଭିନବ ଉପାୟ, ଗୋଟିଏ ସ୍କୁଲରେ ୨ ଟି ଅଷ୍ଟମ ଶ୍ରେଣୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ସରକାର ଉନ୍ନତ ମାନର ଶିକ୍ଷା ସହିତ ଶିକ୍ଷକଙ୍କ ଅଭାବୀ ଦୁରିକରଣ ପାଇଁ ଗୋଟିଏ ବିଦ୍ୟାଳୟ ପରିସରରେ ଥିବା ସମସ୍ତ ବିଦ୍ୟାଳୟକୁ ମିଶ୍ରକଣ କରିଥିବାବେଳେ ହାଟଡିହି ବ୍ଲକରେ ଗୋଟିଏ ବିଦ୍ୟାଳୟ ପରିସରରେ ଦୁଇଟି ଅଷ୍ଟମ ଶ୍ରେଣୀ ଚାଲିବା ଓ ଅଧିକ ଶିକ୍ଷକ ନିଯୁକ୍ତି ପାଇବା ଲାଗି ଅଭିନୟ ଉପାୟ ଅବଲମ୍ବନ କରିବା ଘଟଣା ଆଲୋଚନାର ବିଷୟ ପାଲଟିଛି । ବିଶେଷକରି ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀ ମାନେ ମନିଟରିଂ ନାମରେ ବିଦ୍ୟାଳୟ ସବୁ ପରିଦର୍ଶନ କରୁଥିବାବେଳେ ଏଭଳି ଘଟଣା କିଭଳି ତାଙ୍କ ନଜରକୁ ଆସୁନି ତାହା ପରିତାପର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ହାଟଡିହି ଶିକ୍ଷା ଜିଲ୍ଲାର ନିଶାକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନିଶାକର ହାଇସ୍କୁଲ ଗୋଟିଏ ପରିସରରେ ରହିଛି । ନିଶାକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଖୋଲାଯାଇଥିବାବେଳେ ନିଶାକର ହାଇସ୍କୁଲରେ ମଧ୍ୟ ଅଷ୍ଟମ ଶ୍ରେଣୀ ରହିଛି । ଦୁଇଟି ସ୍କୁଲରେ ଦୁଇଟି ଅଷ୍ଟମ ଶ୍ରେଣୀ ଥିବାବେଳେ ପିଲାମାନେ କେଉଁଠାରେ ପଢ଼ିବେ ସେନେଇ ଦ୍ୱନ୍ଦରେ ପଡୁଛନ୍ତି । ନିଶାକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଖୋଲାଯାଇଥିବା ଦର୍ଶାଇ ଅଭିନବ ଉପାୟରେ ଅଧିକ ଶିକ୍ଷକ ନିଯୁୁକ୍ତି କରାଯାଉଥିବା ଦେଖିବାକୁ ମିଳିଛି । ଏଠାରେ ୬ଷ୍ଠ ଓ ସପ୍ତମର ଦୁଇଟି ଶ୍ରେଣୀରେ ୩୦ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଦୁଇଜଣ ଶିକ୍ଷକ ରହିବା କଥା । କିନ୍ତୁ ଏଠାରେ ତିନିଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି । ମାତ୍ର ଏଠାରେ ଅଷ୍ଟମ ଶ୍ରେଣୀ ଚାଲୁଥବବା ଦର୍ଶାଇ ପ୍ରତିବର୍ଷ ଆଡମିସନ ବେଳେ ଅଧିକ ୧୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଦର୍ଶାଇଥାନ୍ତି । ଯାହାଦ୍ୱାରାକି ଜଣେ ଅଧିକ ଶିକ୍ଷକ ରହିପାରିବ । ‘ସାପ ମରିବନି କି ବାଡି ଭାଙ୍ଗିବନି’ ନୀତିରେ ଦିନ କେଇଟା ଭିତରେ କାଗଜ କଲମରେ ୯୯ଭାଗ ଛାତ୍ରଛାତ୍ରୀ ଟିସି ନେଇ ସେହି ବିଦ୍ୟାଳୟ ପରିସରରେ ଥିବା ନିଶାକର ହାଇସ୍କୁଲକୁ ପଳାଇଥାନ୍ତି । ଫଳରେ ହାଇସ୍କୁଲରେ ଛାତ୍ରଛାତ୍ରୀ ଠିକ ରହିଲେ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଅଭିନବ ଉପାୟରେ ଜଣେ ଅଧିକ ଶିକ୍ଷକ ପାଇ ପାରିଲା । ଏବେ ଅଧିକାଶଂ ବିଦ୍ୟାଳୟରେ ଶିକ୍ଷକ ଅଭାବ ଲାଗି ରହିଥିବାବେଳେ ଏଠାରେ ଜଣେ ଅଧିକ ଶିକ୍ଷକ ରଖିବା ପାଇଁ କିପରି ଅଭିନବ ଉପାୟ ଅବଲମ୍ବନ କରାଯାଉଛି ତାହା ଶିକ୍ଷକ ମହଲରେ ଆଲୋଚନାର ବିଷୟ ପାଲଟିଛି । ସେଠାରେ ଦୀର୍ଘ ୪ବର୍ଷ ହେଲା ଏହିପରି ଭାବେ ଅଷ୍ଟମ ଶ୍ରେଣୀ ଚାଲିଥିବାବେଳେ ବିଭିନ୍ନ ସମୟରେ ସିଆରସିସିଙ୍କ ଠାରୁ ବିଇଓଙ୍କ ପର୍ଯ୍ୟନ୍ତ ଅଧିକାରୀ ମାନେ ସ୍କୁଲ ମନିଟରିଂ କରୁଥିବାବେଳେ କିପରି ଅଧିକାରୀ ମାନଙ୍କ ଏଥିପ୍ରତି ଦୃଷ୍ଟି ପଡୁନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ହାଟଡିହି ବ୍ଳକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏବାବଦରେ ଜାଣି ନଥିବା କହିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।


