ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ ପ୍ରଥମାଷ୍ଟମୀ ପାଳିଲା‘ଦେବଦୀପ ଫାଉଣ୍ଡେସନ’
ବାଲେଶ୍ୱର, (ସରୋଜ ପଣ୍ଡା):ନବ ଗଠିତ ସ୍ୱେଚ୍ଛାସେବୀ ତଥା ସାମାଜିକ ଅନୁଷ୍ଠାନ ‘ଦେବଦୀପ ଫାଉଣ୍ଡେସନ’ ଉଦଘାଟନୀ ଅବସରରେ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟରେ ପ୍ରଥମାଷ୍ଠମୀ ଉତ୍ସବ ପାଳିତ ହୋଇଯାଇଛି । ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନବଦୀପ ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ସମାଜର ଉପେକ୍ଷିତ ବର୍ଗଙ୍କୁ ସାହାଯ୍ୟ ସହଯୋଗ ପାଇଁ ନବଗଠିତ ଏହି ଅନୁଷ୍ଠାନର ସେବାମୂଳକ କାର୍ଯ୍ୟଧାରା ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନବ ଗଠିତ ଅନୁଷ୍ଠାନର ଉଦଘାଟନୀ ଉତ୍ସବ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ପାଳନ କରିବା ଭଳି ପବିତ୍ର ଚିନ୍ତାଧାରା ବାସ୍ତବିକ ପ୍ରଶଂସନୀୟ ବୋଲି କହିଥିଲେ ।ଏହି ଅନୁଷ୍ଠାନର ଜୟଯାତ୍ରା ଦୀର୍ଘ ହେଉ ବୋଲି ସେ କାମନା କରିଥିଲେ । ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ରେମୁଣା ଏନଏସି ଅଧ୍ୟକ୍ଷା ତନୁଜା ଗିରି, କାଉନସିଲର ରଞ୍ଜତା ମହାପାତ୍ର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ନବଦୀପ ଫାଉଣ୍ଡେସନର ଅଧ୍ୟକ୍ଷା ରଶ୍ମିରେଖା ନାୟକ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହ ଅନୁଷ୍ଠାନର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟର ଦିବ୍ୟାଳୟର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ନୂଆ ପୋଷାକ ପ୍ରଦାନ ପୂର୍ବକ ପ୍ରଥମାଷ୍ଟମୀ ପାଳନ କରାଯାଇଥିଲା । ଏଥି ସହିତ ସମସ୍ତଙ୍କୁ ସୁଷମ ଖାଦ୍ୟ ପରସା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମିନତୀ ସେଠୀ, ଇତିକ୍ରିଷ୍ଣା ସ୍ୱାଇଁ, ଆଶ୍ରିତା ତରେଇ, ସ୍ୱାଗତିକା ବାରିକ ମୋନାଲିସା ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।