ଚାଷୀ ହତ୍ୟାକାରୀ ବିଜେପି ଚାଷୀଙ୍କ ପାଇଁ ରାଜଧାନୀରେ ଆନ୍ଦୋଳନ କରିବା ହାସ୍ୟାସ୍ପଦ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀଙ୍କ କୌଣସି ନିର୍ଦ୍ଦଷ୍ଟ ସାମୟିକ ସମସ୍ୟା ନଥିଲା ବେଳେ କେବଳ ଚାଷୀମାନଙ୍କୁ ଭ୍ରମିତ କରିବା ପାଇଁ ଚାଷୀ ହତ୍ୟାକାରୀ ବିଜେପି ମିଛ ଚାଷୀ ଆନ୍ଦୋଳନ କରିବା ହାସ୍ୟାସ୍ପଦ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି । ସଂଗଠନର ନେତୃବୃନ୍ଦ କହିଛନ୍ତି ଯେ, ଦେଶର ଯଦି କୌଣସି ଦଳ ଚାଷୀଙ୍କ ସମ୍ପୂର୍ଣ୍ଣ ବିରୋଧୀ ଥାଏ, ତେବେ ସେ ହେଉଛି ବିଜେପି ଦଳ । ଯେଉଁ ଦଳ ମଧ୍ୟ ପ୍ରଦେଶର ମନସୋର ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶର ଖେରୀ ଯାଏ ଚାଷୀଙ୍କୁ ଜିପ୍ ଚକାତଳେ ମାରିବା ସହ ଗୁଳି ଚଳାଇ ନିଜ ହାତକୁ ରକ୍ତରଞ୍ଜିତ କରିଛି । ଉତ୍ତର ପ୍ରଦେଶରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଯେଭଳି ଆନ୍ଦୋଳନରତ ଚାଷୀଙ୍କ ଉପରେ ଜିପ୍ ଚଢାଇ ସେମାନଙ୍କୁ ହତ୍ୟା କଲେ ଏହାଠାରୁ ବର୍ବୋରଚିତ ଚାଷୀ ଆକ୍ରମଣ କେବେ ବି ସ୍ୱାଧୀନତା ପରେ ଚାଷୀମାନଙ୍କ ଉପରେ ହୋଇନାହିଁ । ସେହିଭଳି କୃଷି ଓ କୃଷକ ବିନାଶକାରୀ କଳା କାନୁନ ଆଣି ସାରା ଦେଶରେ ଚାଷୀଙ୍କ ସମ୍ପତ୍ତି ଓ ଅଧିକାରକୁ କର୍ପୋରେଟ ହାତକୁ ଟେକିଦେବା ପାଇଁ ଉଦ୍ୟମ କରି ୭୦୦ ଚାଷୀଙ୍କର ଦିଲ୍ଲୀ ଆନ୍ଦୋଳନରେ ମୃତ୍ୟୁର କାରଣ ପାଲଟିଥିବା ବିଜେପି ଏବେ ଚାଷୀଙ୍କ ସପକ୍ଷରେ ଆନ୍ଦୋଳନ କରୁଛି । ସବୁଠାରୁ ହାସ୍ୟାସ୍ପଦ କଥା ହେଲା ଯେ, ପଦ୍ମପୁର ନିର୍ବାଚନକୁ ଆଖିଆଗରେ ରଖି କେବଳ ଚାଷୀଙ୍କ ମତ କିଭଳି ବିଜେଡ଼ି ବିରୁଦ୍ଧରେ ଯାଉ ସେଥିପାଇଁ ଏହି ପ୍ରାୟୋଜିତ ଆନ୍ଦୋଳନ । ମଣ୍ଡିରେ ଧାନ କଟନୀ ଛଟନୀ ବେଳେ, ଜମି ଶୁଖିଲା ପଡ଼ିଥିବା ବେଳେ ଚାଷୀ ଉତ୍ପାଦର ଉଚିତ ଦାମ ପାଇଁ ଆନ୍ଦୋଳନ ବେଳେ ବିଜେପି ନେତାଙ୍କ ଦେଖା ନଥାଏ । ଗଣମାଧ୍ୟମରେ ବିତର୍କ ଉପସ୍ଥାପକମାନେ ଆଲୋଚନା ବେଳେ ଯେତେବେଳେ ସ୍ୱାମୀନାଥନଙ୍କ କମିଟି କାହକିିଁ କାର୍ଯ୍ୟକାରୀ ହେଲାନାହିଁ ପ୍ରଶ୍ନ ହେଲାବେଳେ ନେତାମାନେ ଥତମତ ହୋଇ ଯେତିକି ମିଳୁଛି ତାହା ତ ମଣ୍ଡିରେ ପାଉନାହାଁନ୍ତି ବୋଲି କୁହନ୍ତି । ଦୁଇ ଦୁଇଟି ଘଟଣାରେ ତଥାକଥିତ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ ମିଥ୍ୟାବାଦୀ ତାହା ସ୍ପଷ୍ଟ ହୋଇଛି । ପ୍ରଥମରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ମୁଁ କ୍ଷମତାକୁ ଆସିବା କ୍ଷଣି ସ୍ୱାମୀନାଥନଙ୍କ କମିଟି ସୁପାରିଶ ଲାଗୁ କରିବି । ଏଥିରେ ଫେଲ୍ ମାରି ସୁପ୍ରିମକୋର୍ଟରେ ଭର୍ତ୍ସନାର ଶିକାର ହେଲା ପରେ ପୁଣି ନୂଆ ମିଛ କାହାଣୀ ଆରମ୍ଭ କରିଥିଲେ ୨୦୨୨ ମସିହା ସୁଦ୍ଧା ସମସ୍ତ ଚାଷୀଙ୍କ ଆୟ ଦୁଇଗୁଣା ହେବ । ଏହା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର ଥିଲା । ସେହିଭଳି ରାଜ୍ୟ ବିଜେପି ଧାନ କୁଇଣ୍ଟାଲ ୨୯୩୦ ଟଙ୍କା ପ୍ରସଙ୍ଗରେ ପ୍ରଥମରୁ ଗୃହରେ ସହମତି କରିଥିଲେ ହେଁ ପରେ ଚାଷୀ ସପକ୍ଷବାଦୀ ଏହି ଘଟଣାରେ ନିଜକୁ ଦୂରେଇ ରଖିଥିଲା । ବିଜେପି ସରକାର କର୍ପୋରେଟମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ରିହାତି ଦେଲାବେଳେ ଚାଷୀମାନଙ୍କ ପାଇଁ ଆଗଭର ହେଲା ବେଳେ ଚାଷୀଙ୍କୁ ନଗଣ୍ୟ ସହାୟତା ଦେଇ ବ୍ୟାପକ ପ୍ରଚାର ଚଳାଇଛନ୍ତି । ଏଭଳି ଦଳ ଓ ଚାଷୀ ହତ୍ୟାକାରୀ ପ୍ରତି ପଦ୍ମପୁରର ଭୋଟରମାନେ ସଚେତନ ହେବା ପାଇଁ ଚାଷୀ ବଞ୍ଚାଅ ଅଭିଯାନ ଓ ଚାଷୀ ଏକତା ମଞ୍ଚ ପକ୍ଷରୁ ଚାଷୀନେତା ଅରୁଣ ଜେନା, ସୁଦର୍ଶନ ପ୍ରଧାନ ଓ ସଂଗ୍ରାମ କିଶୋର ଅପରାହ୍ନରେ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି । ବୁଢା ବାଘ ମାଳି ପକାଇ ଯେଭଳି ବସେ, ରାଜଧାନୀରେ ବିଜେପି ନେତାଙ୍କ ଧାରଣା ସେଭଳି ବୋଲି କହିଛନ୍ତି ।


