କେନ୍ଦ୍ରାପଡାରେ ଶ୍ରୀସତ୍ୟସାଇବାବାଙ୍କ ୯୭ତମ ଜନ୍ମୋତ୍ସବ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଶ୍ରୀ ସତ୍ୟସାଇବାବାଙ୍କ ୯୭ତମ ପବିତ୍ର ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃରେ ନଗର କୀର୍ତ୍ତନ, ପ୍ରସାନ୍ତି ଧୂଜା ଉତ୍ତୋଳନ, ଷୋଡଶ ଉପଚାରରେ ପୂଜନ, ଭଜନ, ସତସଙ୍ଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଏହାପରେ ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିର ଓ ବାଳବିକାଶ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କେଳକଟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ଆରତୀ, ନାରାୟଣ ସେବା, ବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ସହଯୋଗରେ ସାଇ ସଂଜିବନୀ ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୨ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ସନ୍ଧ୍ୟାରେ ୯୭ଗୋଟି ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବାବାଙ୍କ ଝୁଲଣ, ଭଜନ, ନୃତ୍ୟ ଓ ବାବାଙ୍କ ଜୀବନଯାତ୍ରା ଏବଂ ସେବା ଉପରେ ସମିତିର ଆବାହକ ନୃସିଂହ ଚରଣ ତ୍ରିପାଠୀଙ୍କ ଦ୍ୱାରା ଏକ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଶ୍ରୀସତ୍ୟସାଇ ବିଦ୍ୟାମନ୍ଦିର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷିକା, ପ୍ରାକ୍ତନ ଜିଲ୍ଲା ସଭାପତି ରାମଚନ୍ଦ୍ର ସ୍ୱାଇଁ, ପ୍ରବୋଧ କୁମାର ରାଏ, ଜିଲ୍ଲା ସଭାପତି ରାଧାକୃଷ୍ଣ ସାହୁ, ପ୍ରଭାତ ଦାସଙ୍କ ସମେତ ଶତାଧିକ ସାଇ ଶ୍ରଦ୍ଧାଳୁ ଭାଇଭଉଣୀମାନେ ଯୋଗଦେଇଥିଲେ । ରକ୍ତଭଣ୍ଡାର ଅଧିକାରୀ ଡା. ମାନସ କୁମାର ଜେନା,କର୍ମଚାରୀ ରାକେଶ କୁମାର ମିଶ୍ର, ମନୋଜ ଦାସ ଓ ରାଜୀବ ଲେଙ୍କା ପ୍ରମୁଖ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସ୍ୱର୍ଗତ ସାଧୁଚରଣ ପତ୍ରୀଙ୍କ ସ୍ମୃତିରେ ତାଙ୍କ ଜ୍ୟେଷ୍ଠାକନ୍ୟା ଅନ୍ନପୂର୍ଣ୍ଣା ଦେବୀ ସାଇ ମନ୍ଦିର ପରିସରରେ ପାନୀୟ ଜଳର ବ୍ୟବସ୍ଥା କରିଥିବା ବେଳେ ଏହାକୁ ଧର୍ମଶାଳାର ସବ୍ରେଜିଷ୍ଟାର ମହେନ୍ଦ୍ର କୁମାର ସାହୁ ସାଇଭକ୍ତଙ୍କ ଉଦେଶ୍ୟରେ ଉଦଘାଟନ କରିଥିଲେ ।


