ଅମର୍ଦ୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ନିଷ୍ପତ୍ତିକୁ ନେଇ ଧନ୍ୟବାଦ ଦେଲା‘ଭଏସ ଅଫ ବାଲେଶ୍ୱର’
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତର ଓଡ଼ିଶାର କେନ୍ଦ୍ରସ୍ଥଳ ତଥା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମାନ୍ତ ରାସଗୋବିନ୍ଦପୁରରେ ଥିବା ବ୍ରିଟିଶ ଅମଳର ଅମର୍ଦ୍ଦା ଏୟାରଷ୍ଟିପିକୁ ‘ଉଡ଼ାଣ’ ଯୋଜନାରେ ସାମିଲ କରିବା ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଘୋଷଣାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତେବେ ସରକାରଙ୍କ ନିଷ୍ପତ୍ତିକୁ ନେଇ ଏହି ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଥିବା ‘ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ’ ବିଶେଷ ଖୁସୀ ପ୍ରକାଶ କରିଛି ।ଏହି ପରିପ୍ରେକ୍ଷୀରେ ‘ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ’ର ଅଂଶୀଦାର ସଂଗଠନ ‘ଭଏସ ଅଫ ବାଲେଶ୍ୱର’ ପକ୍ଷରୁ ବୁଧବାର ଅପରହ୍ଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଏୟାରଷ୍ଟ୍ରିପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ଏହି ଏୟାରଷ୍ଟ୍ରିପର ୬୦୦ ଏକର ଜମିରୁ ୧୬୦ ଏକର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗକୁ ହସ୍ତାନ୍ତର ହେବ । ରାଜ୍ୟ ସରକାର ୨୬.୩ କୋଟି ଟଙ୍କା ବିନିମୟରେ ଏହି ଜମିକୁ ହସ୍ତାନ୍ତର କରିବେ । ପରେ ଆନ୍ତଃରାଜ୍ୟ ବିମାନ ଚଳାଚଳ ପାଇଁ ଉପକ୍ରମ ଆରମ୍ଭ ହେବ ବୋଲି ଭଏସ ବାଲେଶ୍ୱର କର୍ମକର୍ତ୍ତା କହିଛନ୍ତି । ତେବେ ‘ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ’ ପକ୍ଷରୁ ଦୀର୍ଘଦିନର ହେଉଥିବା ଦାବି ତଥା ଆନ୍ଦୋଳନ ଏବଂ ଭଏସ ଅଫ ବାଲେଶ୍ୱର ନେତୃତ୍ୱରେ ରାସଗୋବିନ୍ଦପୁରରୁ ରାଜଭବନ ପର୍ଯ୍ୟନ୍ତ ଚାଲିଥିବା ସ୍ୱାଭିମାନ ପଦଯାତ୍ରା ସାର୍ଥକ ହୋଇଛି ବୋଲି ସେମାନେ ଖୁସୀର ସହ ପ୍ରକାଶ କରିଛନ୍ତି ।ଏନେଇ ସଂଗଠନର କର୍ମକର୍ତ୍ତାମାନେ ରାଜ୍ୟପାଳ, ରାଷ୍ଟ୍ରପତି, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମେତ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଛନ୍ତି । ସଂଗଠନର କର୍ମକର୍ତ୍ତା ଅରଜିତ ଘୋଷାଲ, ଡ. ଶ୍ରୀମାନ ଶ୍ରୀଚନ୍ଦନ, ଅସିତ ଦାସ, ନିଶିଥ ବାରିକ, ସନ୍ତୋଷ କୁମାର ଦାସ, ସୁଶାନ୍ତ କୁମାର ସାହୁ, ଲମ୍ବୋଦର ବେହେରା, ସରୋଜ କୁମାର ସାହୁ, ତାପସ କୁମାର ସାମଲ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


