ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ସମ୍ପ୍ରତି ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ ଦର ଅହେତୁକ ବୃଦ୍ଧି ଆର୍ଥିକ ଅନଗ୍ରସର ପରିବାରର ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ଦୟନୀୟ ସ୍ଥିତି ସୃଷ୍ଟି କରିଛି । ଅନ୍ୟପକ୍ଷରେ ବାର୍ଦ୍ଧକ୍ୟଭତ୍ତା ବୃଦ୍ଧି ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହେୟ ମନୋଭାବ ପ୍ରଦର୍ଶନକୁ ନେଇ ବୁଧବାର ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଅନୁଷ୍ଠିତ ବରିଷ୍ଠ ନାଗରିକ ମଞ୍ଚ ବୈଠକରେ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି । ବରିଷ୍ଠ ନାଗରିକଙ୍କୁ ମିଳୁଥିବା ମାସିକ ୫ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତାର ପରିମାଣକୁ ସର୍ବନିମ୍ନ ୧୫ଶହ ଅବା ୨ ହଜାର ଟଙ୍କାକୁ ବୃଦ୍ଧି ପାଇଁ ମଞ୍ଚ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ପଡ଼ୋଶୀ ରାଜ୍ୟ ସମେତ ଦେଶର ଅଧିକାଂଶ ରାଜ୍ୟ ସରକାର ମାସିକ ବାର୍ଦ୍ଧକ୍ୟ ଭତ୍ତା୨୫୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରୁଥିବା ବେଳେ ବାରମ୍ବାର ଦାବି ସତ୍ତ୍ୱେ ଓଡ଼ିଶା ସରକାର ନିଦାବିଷ୍ଣୁ ସାଜିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୈଠକରେ ଉପସ୍ଥିତ ସଦସ୍ୟମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକରେ ଆରମ୍ଭରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନବକୃଷ୍ଣ ଚୌଧୁରୀଙ୍କ ୧୨୨ ତମ ଜୟନ୍ତୀରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ତାଙ୍କ ଦ୍ୱାରା ପ୍ରଣୀତ ମାତୃଭାଷାକୁ ସରକାରୀ ଭାଷାରେ ପରିଗଣିତ ଆଇନକୁ ଏବର ସରକାର ଯୁଦ୍ଧିକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ମଞ୍ଚର ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ମତବ୍ୟକ୍ତ କରିଥିଲେ । ଜିଲ୍ଲାର ଅସହାୟ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କ ଥଇଥାନ ଓ ପୁନର୍ବାସ ଲାଗି ସରକାରଙ୍କ ପ୍ରସ୍ତାବିତ ଜିଲ୍ଲାସ୍ତରୀୟ ସମନ୍ୱିତ ଭିତ୍ତଭୂମି କମ୍ପେ୍ଲକ୍ସ ପ୍ରତିଷ୍ଠା ସକାଶେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ଲଗାତର ଉଦ୍ୟମକୁ ନେଇ ବୈଠକରେ ଉପସ୍ଥିତ ସଦସ୍ୟମାନେ ସାଧୁବାଦ ଜଣାଇଥିଲେ । ସେହିଭଳି ପୂର୍ବରୁ ପ୍ରଚଳିତ ବରିଷ୍ଠ ନାଗରିରକଙ୍କ ରେଳଭଡ଼ା ରିହାତି ବ୍ୟବସ୍ଥାକୁ ପୁନର୍ବିଚାର ପାଇଁ ଦାବି ହୋଇଥିଲା । ଅନ୍ୟପକ୍ଷରେ ବାଲେଶ୍ୱର ସରକାରୀ ମେଡିକାଲ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ୨୮ତାରିଖ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଗଣଧାରଣା ନିଷ୍ପତ୍ତିକୁ ବୈଠକରେ ଦୃଢ଼ ସମର୍ଥନ କରାଯାଇଥିଲା । ଶରତ ଚନ୍ଦ୍ର ଦାଶ, କମଳାକାନ୍ତ ବେହେରା, ରାଜେନ୍ଦ୍ର ରାଉତ, ବିରେନ୍ଦ୍ର ନାରାୟଣ ପ୍ରହରାଜ, ଚିତ୍ରାରାଣୀ ପାତ୍ର, ସୀତାରାମ ପ୍ରଧାନ, ପରମାନନ୍ଦ ପଣ୍ଡା, ଲକ୍ଷ୍ମୀପ୍ରିୟା ଜେନା, ଗୋପୀନାଥ ଦାସ, ଲକ୍ଷ୍ମୀନାରାୟଣ ଘୋଷ, ଦାମୋଦର ନାୟକ, ମଧୁସୂଦନ ଜେନା, ବାସନ୍ତୀ କର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଓ କଲ୍ୟାଣୀ ନନ୍ଦ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅର୍ଚ୍ଚନା ନନ୍ଦୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ