ଜରାଜୀର୍ଣ୍ଣ ଅବସ୍ଥାରେ ବେଗୁନିଆପଡ଼ା ମୁଖ୍ୟ ରାସ୍ତା !
କୋଦଳା, (ଗୁଲସନ୍ କୁମାର କର):ରାସ୍ତା ସାରା ଖାଲଖମା। ସ୍ଥାନେ ସ୍ଥାନେ ଖାଲ ଏପରି ହୋଇଛି ଯେ, ନିତି ଦୁର୍ଘଟଣା ଘଟୁଥିବା ନଜରକୁ ଆସିଛି। ଗଞ୍ଜାମ ଜିଲ୍ଲା କୋଦଳା ପିଡବ୍ଲୁଡି ଅଧିନସ୍ଥ କଞ୍ଚଣା ଠାରୁ ବେଗୁନିଆପଡ଼ା ଦେଇ ସୁମଣ୍ଡଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି। କଞ୍ଚଣା ଠାରୁ ବେଗୁନିଆପଡ଼ା ଫାଣ୍ଡି ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ୍ର ସୃଷ୍ଟି ହୋଇଥିବା ବେଳେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଏପରିକି କିଛି ସ୍ଥାନରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗାତ୍ରରେ ପାଣି ମଧ୍ୟ ଜମି ରହିଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ବେଗୁନିଆପଡ଼ା ଫାଣ୍ଡି ନିକଟରେ ଥିବା ଦେଓଳିଆପଡା ପାଖ ରାସ୍ତାରେ ପାଣି ଜମି ରହୁଥିବାରୁ ଯିବାଆସିବା ପାଇଁ ଅସୁବିଧା ସୃଷ୍ଟି ହେଉଛି। ପାଖ ପୋଖରୀରୁ ପାଣି ନିଷ୍କାସନ କରାଯାଉଥିବାରୁ ପୋଖରୀ ପାଣିକୁ ରାସ୍ତା ଉପରେ ଛାଡି ଦିଆଯାଉଛି। ଯାହା ଫଳରେ ପାଣି ତମାମ ରାସ୍ତା କଡରେ ଯାଇ ରାସ୍ତାକୁ ଶୋଚନୀୟ କରି ଦେଉଛି। ଏହି ମୁଖ୍ୟ ରାସ୍ତାଟି ଦୀର୍ଘ ଦିନ ଧରି ବିପର୍ଯ୍ୟସ୍ତ ହୋଇପଡିଥିଲେ ବି ପିଡବ୍ଲୁଡି ବିଭାଗର ଦୃଷ୍ଟି ନପଡ଼ିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ସତ୍ଯ ନାରାୟଣ ବିଷୋୟୀଙ୍କୁ ପଚାରିବାରୁ ରାସ୍ତାରେ ପାଣି ଛାଡିବା ନେଇ ବ୍ଲକ ଜଳ ଯୋଗାଣ ବିଭାଗକୁ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି। ଅପରପକ୍ଷେ ରାସ୍ତାରେ ବିଭିନ୍ନ ସ୍ଥାନରେ ଖାଲଖମା ସଂପର୍କରେ ଆମେ ଅବଗତ ଅଛୁ। ଖୁବଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି।