ଶ୍ରୀ ମନ୍ଦିରରେ ଓଢ଼ଣ ଷଷ୍ଠୀ ଓ ଶ୍ରୀ ଜିୟୁ ମାନଙ୍କ ଘୋଡ଼ ଲାଗି ବେଶ
ନିମାପଡ଼ା, (ସନ୍ତୋଷ ଦାଶ):ଶ୍ରୀ ଜଗନ୍ନାଥ ମହାପ୍ରଭୁ ଦାରୁବ୍ରହ୍ମ ରୂପରେ ଶ୍ରୀମନ୍ଦିରର ଚିନ୍ତାମଣି ଗୃହରେ ବିରାଜମାନ କରି ସାଧାରଣ ଦେହଧାରୀ ମନୁଷ୍ୟପରି ଲୀଳା କରୁଛନ୍ତି । ଗ୍ରୀଷ୍ମକାଳରେ ଶୀତଳ ଉପଚାର ନିମନ୍ତେ ଚନ୍ଦନ ଯାତ୍ରା କରିବା, ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅତିଶୟ ସ୍ନାନକରି ଜ୍ବରରେ ପଡ଼ିବା, ଦଶମୂଳ ଖାଇ ଆରୋଗ୍ୟ ହେବାପରେ, ଚିତ୍ତ ବିନୋଦନ ପାଇଁ ରଥରେ ଚଢ଼ି ଆଡ଼ପ ମଣ୍ଡପକୁ ବୁଲିଯିବା, ଋତୁ ଅନୁକୂଳ ବେଶ ଧାରଣ କରିବା, ବସନ୍ତ କାଳରେ ମଦନୋତ୍ସବ କରିବା, ମୃଗୟାବିନୋଦ ବା ବେଣ୍ଟଲୀଳା କରିବା, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ପ୍ରଭୃତି ମହାପ୍ରଭୁଙ୍କର ‘ମାନବୀୟ ଲୀଳା’ର ଗୋଟିଏ ଗୋଟିଏ ନିଦର୍ଶନ । ସେହି ପରି ମହାପ୍ରଭୁଙ୍କର ଅନ୍ୟ ଏକ ଆକର୍ଷଣୀୟ ମାନବୀୟ ଲୀଳା ହେଉଛି ଶୀତ ଋତୁରେ ଶୀତର ପ୍ରକୋପରୁ ରକ୍ଷାପାଇବା ନିମନ୍ତେ ଶୀତବସ୍ତ୍ର ପରିଧାନ କରିବା । ମହାପ୍ରଭୁଙ୍କର ଏହି ଲୀଳା ‘ପ୍ରାବରଣ ଯାତ୍ରା’ ବା “ଓଢ଼ଣ ଷଷ୍ଠୀ’ନାମରେ କଥିତ । ମାର୍ଗଶିର ଶୁକ୍ଳଷଷ୍ଠୀ ବା ଓଢ଼ଣ ଷଷ୍ଠୀ ଠାରୁ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ଠାକୁର ମାନଙ୍କ ଶ୍ରୀବିଗ୍ରହରେ ଘୋଡ଼ଲାଗି ହୋଇଥାଏ । ବସନ୍ତ ପଞ୍ଚମୀ ଦିନ ବସନ୍ତ ଉତ୍ସବ ସମାପ୍ତି ପରେ ଟେକାଘୋଡ଼ ଲାଗିହୋଇଥାଏ। ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି ପତଳା ଚାଦର ଓ ଜାମା ପରିଧାନ କରିଥାନ୍ତି, ମହାପ୍ରଭୁ ସେହିପରି ବସନ୍ତ ପଞ୍ଚମୀ ଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଜାମା ବା ଟେକାଘୋଡ଼ ପରିଧାନ କରିଥାନ୍ତି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ଦ୍ଵାଦଶ ଯାତ୍ରା ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଯାତ୍ରାଭାଗବତରେ ଉଲ୍ଲେଖ ରହିଛି, ମାନବ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶ୍ବରଙ୍କୁ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତ୍ତମ ବସ୍ତ୍ରମାନଙ୍କ ଦ୍ଵାରା ଆଚ୍ଛାଦିତ କରିବା ବିଧେୟ । ସେହିପରି ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରିମହୋଦୟାଦି ଗ୍ରନ୍ଥଗୁଡ଼ିକରେ ମଧ୍ୟ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଛି। ଏହି ଉତ୍ସବ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରୀ , ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ ପାଇଁ ରହିଥାଏ । ଏହା ଆଗରୁ ଭୋଗମଣ୍ଡପ ଘର ଧୋ ପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ଵାରା କଟା ଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଚାଙ୍ଗଡ଼ା ରେ ଘୋଡ଼ମାନଙ୍କୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ । ଏହାପରେ ଦ୍ଵାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ । ବଡ଼ସିଂହାର ଭୋଗ ସରି ଠାକୁର ମାନଙ୍କର ମଇଲମ ବଢ଼ିବା ପରେ ପାଣି ପଡ଼ି ମହାସ୍ନାନ ବଢ଼େ। ଏହାପରେ ଠାକୁରମାନେ ଝିନ ପତନି ଲାଗି ହୁଅନ୍ତି । ସର୍ବାଙ୍ଗଲାଗି(ଚନ୍ଦନ) ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ । ଏହି ଦିନ ଅଧିବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବା ଶୟନ ଠାକୁର ବିଜେ ହୁଅନ୍ତି ନାହିଁ। ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମଇଲମ ହୁଏ। ଗତ ଦିନ ଭୋଗମଣ୍ଡପ ଘରେ ଅଧିବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, , କାହାଳି ସହ ପଟୁଆର ରେ ବଡ଼ଦେଉଳକୁ ସାଢ଼େ ତିନିବେଢ଼ା ଓ ରତ୍ନସିଂହାସନକୁ ସାଢ଼େ ତିନିବେଢ଼ା, ଏହିପରି ସମୁଦାୟ ସାତବେଢ଼ା ପ୍ରଦକ୍ଷିଣ କରାଇ ରତ୍ନ ସଂହାସନକୁ ବିଜେ କରାଯାଏ। ସଂହାସନରେ ସିଂହାରୀ ପୁଷ୍ପାଳକଙ୍କ ଦ୍ବାରା ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ିଲେ ଛଅମୂର୍ତ୍ତି ଅଳକାଂର ଲାଗି ହୋଇ ଶ୍ରୀଅଙ୍ଗରେ ପ୍ରସାଦଲାଗି ବଢ଼ିଲେ ତିନି ବାଡ଼ରେ ବନ୍ଦାପନା ହୋଇଥାଏ । ଏହାପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅବକାଶ ପରେ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପ ପରେ ଘୋଡ଼ଲାଗି ହୁଏ । ଘୋଡ଼ଲାଗି ବେଶରେ ଗଡ଼ା (ସୂତା ବସ୍ତ୍ର), ଖଣ୍ଡୁଆ ପାଟ, ଭେଲ୍ଭେଟ୍ର ଘୋଡ଼ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି, ବ୍ୟବହୃତ ହୋଇଥାଏ । ଏହି ବେଶରେ ଠାକୁରମାନେ ଚୂଳଲାଗି ହୁଅନ୍ତି । ବିଧି ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି ।ରବି ବାର ଦିନ ଲାଲ ରଙ୍ଗ,ସୋମବାର ଦିନ କଳାଛିଟ ମିଶା ଧଳା ରଙ୍ଗ ,ମଙ୍ଗଳବାର ଦିନ ବାରିପଟିଆ (ପଞ୍ଚରଙ୍ଗମିଶା),ବୁଧବାର ଦିନ ନୀଳରଙ୍ଗ,ଗୁରୁବାର ଦିନ ବସନ୍ତ (ହଳଦିଆ) ରଙ୍ଗ,ଶୁକ୍ରବାର ଦିନ ଧଳା ରଙ୍ଗ ଶନିବାର ଦିନ କଳା ରଙ୍ଗ ର ବସ୍ତ୍ର ଲାଗି ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ମତରେ ମହାପ୍ରଭୁଙ୍କର ସାତ ଦିନର ସାତପ୍ରକାର ଘୋଡ଼ରଙ୍ଗକୁ ସାତଗୋଟି ଗ୍ରହର ପ୍ରତୀକ ବୋଲି ବିବେଚନା କରାଯାଇଛି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ କରିଥାନ୍ତି । ‘ନୀଳାଦ୍ରିମହୋଦୟ’ ରେ କୁହାଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ଏହି ପ୍ରାବରଣ ଯାତ୍ରାକୁ ଦର୍ଶନ କରନ୍ତି, ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ଓ ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି ହୁଏ।


