ଭୁଷୁଡ଼ିଲେ ଚେତିବେ! ଆଁ କରିଛି ଅଙ୍ଗନବାଡ଼ି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ମାର୍ଟ ନଗରୀ ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଥିବା ଏକ ବିପଦ ସଙ୍କୁଳ, ବିପର୍ଯ୍ୟସ୍ତ ତଥା ଅସୁରକ୍ଷିତ ଅଙ୍ଗନବାଡ଼ି କେନ୍ଦ୍ରର ସାଙ୍ଘାତିକ ଦୃଶ୍ୟର ଚିତ୍ର ସାମ୍ନାକୁ ଆସିିଛି । ରାଜଧାନୀର ଛାତି ଉପରେ ଥିବା ଉକ୍ତ ଅଙ୍ଗନବାଡ଼ିର ଛାତଟି ସମ୍ପୂର୍ଣ୍ଣ ରୂପେ ଫାଟି ଆଁ କରି ରହିଛି । ବାରଣ୍ଡାର ଖୁଣ୍ଟି ଭାଙ୍ଗି ମାଟି କାମୁଡ଼ି ତଳେ ଲୋଟିପଡ଼ିଛି । ଗୃହ କାନ୍ଥରେ ନାଲି ଅଳତା ଓ ଅଙ୍ଗାରରେ ଲେଖା ରହିଛି ବିପଦ, କୌଣସି ସମୟରେ ଘରଟି ଭାଙ୍ଗି ଯାଇପାରେ, ଏଠାରେ ଚଳ ପ୍ରଚଳ କରନ୍ତୁ ନାହିଁ, ବିପଦପୂର୍ଣ୍ଣ କୋଠା ପରି ଅନେକ ସତର୍କ ସୂଚନା । ସତେଯେପରି କୋଠାଟି ଭୂତକୋଠି ପାଲଟିଯିବା ସହ ସରୀସୃପଙ୍କ ଆବାସସ୍ଥଳୀରେ ପରିଣତ ହୋଇଯାଇଛି । ଇଏ ହେଉଛି ଆମ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ଛତାବର ପଞ୍ଚାୟତ ଅଧିନସ୍ଥ ବିନ୍ଧ୍ୟଗିରି ଅଙ୍ଗନବାଡ଼ିର କରୁଣଚିତ୍ର । ଉକ୍ତ ଅଙ୍ଗନବାଡ଼ି କୋଠାକୁ ଲାଗି ରହିଛି ବିନ୍ଧ୍ୟଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ୨୦୧୪ ମସିହାରୁ ତତ୍କାଳୀନ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସର୍ବଶିକ୍ଷା ଅଭିଯାନ, ଖୋର୍ଦ୍ଧାର ପତ୍ର ନଂ.୪୨/ଏସ୍ଏସ୍ଏ ୬.୧.୨୦୧୨ ନିର୍ଦ୍ଦେଶ ଅନୁଯାୟୀ ଅଦ୍ୟାବଧି ଗୋଟିଏ ଶ୍ରେଣୀ ଗୃହରେ ଏହି ଅଙ୍ଗନବାଡ଼ି କେନ୍ଦ୍ରଟି ଚାଲିଛି । ଯେଉଁଠିକୁ ରାତି ପାହିଲେ କୁନି କୁନି ଶିଶୁମାନେ ଶିକ୍ଷା ଗ୍ରହଣ ପାଇଁ ଧାଇଁ ଆସିଥାନ୍ତି । ଖେଳଛୁଟି ହେଉ କି ଉପରଓଳି ହେଉ ବିଦ୍ୟାଳୟର ଛାତ୍ର, ଛାତ୍ରୀମାନେ ଏହି ବିପଦ ସଙ୍କୁଳ ଅଙ୍ଗନବାଡ଼ିକୁ ଲାଗି ରହିଥିବା ଖେଳ ପଡ଼ିଆଟିରେ କ୍ରିକେଟ, ଲୁଚୁକାଳି, ଧାଁ ଦଉଡ଼ ଖେଳ ଇତ୍ୟାଦି ଖେଳିଥାନ୍ତି । ଏହି ବିପଦପୂର୍ଣ୍ଣ କୋଠାଟି କେଉଁ ସମୟରେ ଭୁଷୁଡ଼ି ଯାଇପାରେ ତାହା ସମୟ ହିଁ କହିବ । ଏ ନେଇ ବିନ୍ଧ୍ୟଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ବି ଅଧିକାରୀମାନେ ପରିଦର୍ଶନରେ ଆସନ୍ତି ସତ, କିନ୍ତୁ ବୁଲାବୁଲି କରି ଯେଝା ବାଟରେ ଚାଲିଯାଇଥାନ୍ତି । କିଏ ନିର୍ଦ୍ଦେଶ ଦେବ, କାହା ନିର୍ଦ୍ଦେଶକୁ ଅପେକ୍ଷା, କାହିଁକି ଏ ବିପଦ ସଙ୍କୁଳ ଅଙ୍ଗନବାଡ଼ିଟି ଭଙ୍ଗା ଯାଉନାହିଁ ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୌଣସି ଅଘଟଣ ଘଟିବା ପୂର୍ବରୁ ଯଥାଶୀଘ୍ର ଉକ୍ତ କୋଠାଟିକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିବା ଲାଗି ସାମାଜିକ କର୍ମୀ ସୁଶାନ୍ତ ସାହୁ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି ।


