ଆମ୍ବେଦକରଙ୍କ ମହାପରି ନିର୍ବାଣ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ବି ଆର୍ ଆମ୍ବେଦକରଙ୍କ ୬୬ ତମ ମହାପରିନିର୍ବାଣ ଦିବସ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନୁସୂଚିତ ଜାତି ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ପକ୍ଷରୁ ଭୁନନେଶ୍ୱର ୟୁନିଟ୍-୧ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ସୌରଭ ରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଭାରତରତ୍ନ ବାବା ସାହେବଙ୍କ ଆଦର୍ଶ ସମତାଭିତ୍ତିକ ରଷ୍ଟ୍ର ଗୁଣ ଗାରିମା ସଂସ୍କାରବାଦୀ ନୀତିନିୟମ, ସମ୍ବିଧାନ ନିର୍ମାଣ, ବର୍ତ୍ତମାନ ସ୍ଥିତିରେ ବ୍ୟାଙ୍କର ଜନହିତକର କାର୍ଯ୍ୟାବଳୀ ଓ ଋଣ ପ୍ରଦାନ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ରୂପେ ଜିଏମ୍ ୧ ପୁନମବଲମ୍ ଏମ୍, ଜିଏମ୍ ୨ ଉତ୍ତମ କୁମାର ହାଜରା ଚୌଧୁରୀ, ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ସିଂ. ଜୋନ୍ ୨ ଡିଜିଏମ୍ କୁନ୍ଦନ ଜ୍ୟୋତି, ଜୋନ୍ ୧ ଡିଜିଏମ୍ ସଞ୍ଜୟ କୁମାର ଝା, ଏଜିଏମ୍ ମାନସ ରଞ୍ଜନ ଆଚାର୍ଯ୍ୟ, କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ରଘୁନାଥ ପ୍ରସାଦ ଦାସ ଓ ସଭାପତି ସ୍ୱାଧୀନ କୁମାର ଦାସ, ଅଫିସର ସଂଘର ସାଧାରଣ ସମ୍ପାଦକ ଅରୁଣ କୁମାର ବିଶୋଇ ଓ ସଭାପତି ଅମିତାଭ ଦାସ ପ୍ରମୁଖ ଯୋଗଦେଇ ବାବା ସାହେବ ଆମ୍ବେଦକରଙ୍କ ଜୀବନୀ, ଭାରତୀୟ ସମ୍ବିଧାନ ଓ ଜାତି ଜନଜାତି ପାଇଁ ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ । ଏଥି ସହିତ ବ୍ୟାଙ୍କର ସ୍ଥିତି, ଅଗ୍ରଗତି ଏବଂ କର୍ମଚାରୀ ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ପରିଷଦର ପ୍ରତିଷ୍ଠାତା, ଫେଡେରେସନର ପୂର୍ବତନ ସାଧାରଣ ସମ୍ପାଦକ ତଥା ବର୍ତ୍ତମାନର ଉପଦେଷ୍ଟା ବଂଶୀଧର ସେଠୀ ପ୍ରାରମ୍ଭିକ ଅଭିଭାଷଣ ରଖି କହିଥିଲେ ଏସ୍ଟି ଏସ୍ସି କର୍ମଚାରୀ କଲ୍ୟାଣ ପରିଷଦ ଗଠିତ ହେବା ଦିନଠାରୁ ସମସ୍ତ କର୍ମଚାରୀଙ୍କ ସୁବିଧା ଅସୁବିଧା ବୁଝିବା ସହିତ ସେମାନଙ୍କର ସୁଖରେ ଦୁଃଖରେ ସାମିଲ ହୋଇଆସୁଛି । ବିଭିନ୍ନ ସାମାଜିକ କାର୍ଯ୍ୟ ମଧ୍ୟ କରୁଛି । ସାଧାରଣ ସମ୍ପାଦକ ତଥା ଫେଡେରେସନର ଡେପୁଟି ସାଧାରଣ ସମ୍ପାଦକ ଜିତେନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ବ୍ୟାଙ୍କ ସମ୍ମୁଖରେ ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କ ଦ୍ୱାରା ବାଲୁକା ନିର୍ମିତ ବାବା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହି ଅବସରରେ ମୂକ ବଧିର ଓ ଅନାଥାଶ୍ରମ ପିଲା ମାନଙ୍କୁ ସ୍କୁଲ ବ୍ୟାଗ, ପାଠ୍ୟପୋକରଣ ସାମଗ୍ରୀ ଓ ଗରିବ ଲୋକ ମାନଙ୍କୁ କମ୍ବଳ, ମଶାରୀ ବଣ୍ଟନ କରା ଯାଇଥିଲା । ସମାଜର ବିଭିନ୍ନ କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ମହାପ୍ରବନ୍ଧକ ସମ୍ବର୍ଦ୍ଧିତ କରିଥିଲେ । କାଳୁରାମ ହେମ୍ବ୍ରମ, ଅଜୟ କୁମାର ବେହେରା, ଧୀରେନ୍ଦ୍ର ମାଝୀ, ରଞ୍ଜନ କୁମାର ବେହେରା, ସି.ଏଚ୍. ନାଗେଶ୍ୱର ରାଓ ଚିନି ସହେଯାଗ କରିଥିବା ବେଳେ ପରିଷଦର ଉପସାଧାରଣ ସମ୍ପାଦିକା ସଂଯୁକ୍ତା ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


