ମରୈଗାଁ ପଞ୍ଚାତ ଦୁର୍ନୀତିକୁ ଘଣ୍ଟ ଘୋଡାଉଛି କିଏ ?
ହାଟଡ଼ିହି, (ବିକାଶ ବିଶ୍ୱାଳ):ମରୈଗାଁ ପଞ୍ଚାୟତରେ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତିର ତଦନ୍ତ ସରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ଜଣାଯାଇଛି ଯେ ଏହି ପଞ୍ଚାୟତକୁ ଆସିଥିବା ବିଭିନ୍ନ ଅନୁଦାନକୁ କାମ ନକରି ଅଗ୍ରୀମ ଆକରରେ ଉଠାଇ ନିଆଯାଇଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଫଳରେ ଗତ ୨୦୧୭/୧୮ରୁ ୨୦୧୯/୨୦ ବର୍ଷର ସରକାରୀ ଅନୁଦାନ ଖର୍ଚ୍ଚ ସମ୍ପର୍କରେ ତଦନ୍ତ ପାଇଁ ହାଟଡିହି ବିଡିଓ ଚିଠିନଂ ୨୧୯୪/ ୧୫/୭/୨୦୨୦ରେ ଜିପିଓ ଓ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିପିଓ ଓ ସହକାରୀଯନ୍ତ୍ରୀଙ୍କ ଦ୍ୱାରା ୩୧/୭/୨୦୨୦ରେ ତଦନ୍ତ ହୋଇଥିଲା । ୬/୯/୨୦୧୭ରୁ ୩୧/୧୧/୨୦୧୮ ମଧ୍ୟରେ କଂକ୍ରିଟ ରାସ୍ତା ନିର୍ମାଣ, ନୁତନ ନଳକୂପ, ପ୍ଲାଟଫର୍ମ ନିର୍ମାଣ, ହରିଶ୍ଚନ୍ଦ୍ର ସହାୟତା ଆଦି ପାଇଁ ପଞ୍ଚାୟତ କର୍ତ୍ତୁପକ୍ଷ ୭ଲକ୍ଷ ୯୧ହଜାର ଟଙ୍କା ଅଗ୍ରୀମ ଉଠାଇ ନେଇଥିଲେ । ସେଥି ମଧ୍ୟରୁ ୨ଲକ୍ଷ୨୧ ହଜାର ୯୫୮ଟଙ୍କା ୯ଟି ନଳକୂପ ନିର୍ମାଣ ପାଇଁ ଖର୍ଚ୍ଚ କରିଥିବାବେଳେ ଅବଶିଷ୍ଟ ୫ଲକ୍ଷ ୬୯ହଜାର ୪୨ଟଙ୍କା ଖର୍ଚ୍ଚର କୌଣସି ହିସାବ ମିଳିନଥିଲା । ସେହିପରି ୩୦/୯/୨୦୧୭ରୁ ୩୦/୧୨/୨୦୧୯ ମଧ୍ୟରେ ଏସଏଫସି ଫଣ୍ଡରୁ ପଞ୍ଚାୟତ ଗୃହ ମରାମତି, ନଳକୂପ ପ୍ଲାଟଫର୍ମ ଓ ହରିଶ୍ଚନ୍ଦ୍ର ସହାୟତା ପାଇଁ ୧ଲକ୍ଷ ୮୫ହଜାର ୭୯୭ଟଙ୍କା ଅଗ୍ରୀମ ଉଠାଣ ହୋଇଥିଲା । ଯାହାର ଖର୍ଚ୍ଚର ହିସାବ ମିଳିନଥିଲା । ମୋଟ ୭ଲକ୍ଷ ୪୪ହଜାର ୮୩୯ଟଙ୍କା କୁ ସରପଞ୍ଚ ଓ ପିଇଓ ଉଭୟ ଜାଣିଶୁଣି ଅଗ୍ରୀମ ଅକାରରେ ଉଠାଇ ନେଇ ଆତ୍ମସାତ କରାଯାଇଥିବା ତଦନ୍ତ ରିପୋର୍ଟରେ ଉଲେଖ କରାଯାଇଥିଲା । ସହକାରୀଯନ୍ତ୍ରୀ ଓ ଜିପିଓ ଗତ ୫/୮/୨୦୨୦ରେ ତଦନ୍ତ ରିପୋର୍ଟ ବିଡିଓଙ୍କୁ ପ୍ରଦାନ କରିଥିଲେ । ଦୁଇମାସ ପରେ ବିଡିଓଙ୍କ ଚିଠିନଂ ୨୮୫୨/ ତା ୬/୧୦/୨୦୨୦ରେ ଡିପିଓ, ଜିଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ ପ୍ରମୁଖଙ୍କୁ ଜଣାଯାଇଥିଲା । ରିପୋର୍ଟକୁ ୨ବର୍ଷ ବିତିବାକୁ ବସିଥିବାବେଳେ ଆଜି ପର୍ଯ୍ୟନ୍ତ ସରପଞ୍ଚ ଓ ପିଇଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ସରକାରୀ ଅବହେଳାକୁ ପ୍ରମାଣ କରୁଛି । ଏହିଭଳି ସମାନ ଅଭିଯୋଗ ଥାଇ ସୋସୋ ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହ ସେମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ମରୈଗାଁ ପଞ୍ଚାୟତର ଏହି ଦୁର୍ନୀତି ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ସଂପୃକ୍ତ ପଞ୍ଚାୟତର ପିଇଓ ହରିହର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଆଡଜଷ୍ଟ କରାଯାଇଛି । କିନ୍ତୁ ସେହି ଆଡଜଷ୍ଟ ଟଙ୍କା ସରପଞ୍ଚ ଓ ପିଇଓ ଦେଲେ ନା କେବଳ କାଗଜ କଲମରେ ଆଡଜଷ୍ଟ କରାଗଲା ତାହା ତଦନ୍ତ ସାପେକ୍ଷ । କେନ୍ଦୁଝର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।


