ଗାନ୍ଧି ଶାନ୍ତି ନିବାସ କଲୋନୀରେ ଶୀତବସ୍ତ୍ର ବଣ୍ଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ପକ୍ଷେ ଶୀତବସ୍ତ୍ର ଖଣ୍ଡିଏ କିଣିବା ସାତ ସପନ । ମହଙ୍ଗା ବଜାରର ଦରଦାମ ସେମାନଙ୍କ ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଥାଏ । ଅନେକ ସମୟରେ କିଛି ସହୃଦୟ ବ୍ୟକ୍ତିବିଶେଷ ଏବଂ ସାମାଜିକ ଅନୁଷ୍ଠାନ ଦେବଦୂତ ପରି ଏମାନଙ୍କ ପାଖରେ ପହଞ୍ôଚ ସେମାନଙ୍କ ମୁହଁରେ ହସ ଫୁଟାଇବା ସହ ସହଯୋଗର ହାତ ବଢାଇଥାନ୍ତି । ଏଭଳି ମାନବିକତାର ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଉପକଣ୍ଠ ଯାଁଳା ସ୍ଥିତ ଗାନ୍ଧି ଶାନ୍ତି ନିବାସ କଲୋନୀ ଠାରେ । ସୂଚନାଯୋଗ୍ୟ, ଉକ୍ତ କଲୋନୀରେ ୬୦ଟି ଲେପର୍ସି ପରିବାର ବସବାସ କରିଥାନ୍ତି । ଏମାନଙ୍କ ରୋଜଗାର କହିଲେ କେବଳ ଭିକ୍ଷା । ଭିକ୍ଷା କଲେ ହିଁ ଏମାନଙ୍କ ଚୁଲି ଜଳିଥାଏ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜାଡ଼ରୁ ଆଶ୍ୱସ୍ତି ପାଇଁ କଲୋନୀ ଅନ୍ତେବାସୀଙ୍କୁ ସହଯୋଗର ହାତ ବଢାଇଥିଲା ବିଜୟ କୁମାର ପଟ୍ଟନାୟକ ମେମୋରିଆଲ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ, ଭୁବନେଶ୍ୱର । ଟ୍ରଷ୍ଟର ପ୍ରତିଷ୍ଠାତା ଡାଃ ସ୍ୱରୂପ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ କଲୋନୀର ୬୦ଟି ପରିବାରକୁ ଖଣ୍ଡିଏ ଲେଖାଏଁ ଶୀତବସ୍ତ୍ର ଟ୍ରଷ୍ଟ ପକ୍ଷରୁ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ସରୋଜ କାନ୍ତ ଦାସ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ ନାୟକ, ପ୍ରଦୀପ୍ତ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଟ୍ରଷ୍ଟର ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିବା ସଙ୍ଗେ ସଙ୍ଗେ କଲୋନୀ ଅନ୍ତେବାସୀ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ