ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୨-୨୩ ଜାନୁଆରୀ ୨୯ ଓ ୩୦ରେ ଅନୁଷ୍ଠିତ ହେବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ବେସରକାରୀ ନିଯୁକ୍ତିଦାତା ସଂସ୍ଥା ଓ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ସଂସ୍ଥାମାନଙ୍କର ଯେଉଁ ବୈଷୟିକ ଜ୍ଞାନ ସମ୍ପର୍ଣ୍ଣ ଯୁବକ ଓ ଯୁବତୀମାନଙ୍କର ଆବଶ୍ୟକତା ରହିଛି ସେଥିପ୍ରତି ଦୃଷ୍ଟି ଦେଇ ନିଯୁକ୍ତି ମେଳା ଆୟୋଜନ କରିବା ପାଇଁ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ । ଜିଲ୍ଲା ନିୟୋଜନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଜାନୁଆରୀ ୨୯ତାରିରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପଡିଆରେ ଓ ଜାନୁଆରୀ ୩୦ତାରିଖରେ ପଟ୍ଟାମୁଣ୍ଡାଇ ଏମ.ଏନ. ହାଇସ୍କୁଲ ପଡିଆରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ପ୍ରାୟ ୪୫ଗୋଟି ରାଜ୍ୟ ଏବଂ ରାଜ୍ୟ ବାହାରର ନିଯୁକ୍ତିଦାତା ସଂସ୍ଥା ଓ ୧୦ଟି ତାଲିମ ପ୍ରଦାନକାରୀ ସଂସ୍ଥା ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୂଚନା ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ନିଯୁକ୍ତି ମେଳା ଆୟୋଜନର ବିଭିନ୍ନ ବ୍ୟବସ୍ଥା ଯଥା ପରିମଳ, ସୁରକ୍ଷା, ପ୍ରଚାର ପ୍ରସାର, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇ ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ବୈଠକ ପରିଚାଳନା କରିବା ସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।