‘ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ’ର ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):‘ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ’ର ନବମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଛୁଡ଼ିଆ ସ୍ଥିତ ୱାଟର ପାର୍କରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟରେ ଆୟୋଜିତ ଉତ୍ସବ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ବିକାଶରେ ବେଶ ସହାୟକ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, କୋଲକାତାର ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁରୋ ସାଇନ୍ସର ନିର୍ଦ୍ଦେଶକ ଡାକ୍ତର ବିଭୂକଲ୍ୟଣୀ ଦାସ, କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ଡାକ୍ତର ଅଶୋକ କୁମାର ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷାଦାନ ଓ ସଫଳତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ପ୍ରିନସିପାଲ ସୁଧାଂଶୁ ପଣ୍ଡା କାର୍ଯ୍ୟକ୍ରମରେ ପୌରହିତ୍ୱ କରିଥିବା ବେଳେ ପରିଚାଳନା ଟ୍ରଷ୍ଟ ଚେୟାରମ୍ୟାନ କବୀର କୁମାର ମଢୁଆଲ ଏଥିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ମୌସୁମ କୁମାର ସାହୁ, ଉପ-ସଭାପତି ନିବେଦିତା ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ମେରୀ ସାଣ୍ଟିଆଗୋ ଓ ସିଦ୍ଧି ବିନାୟକ କଲେଜର ଅଧ୍ୟକ୍ଷ ସୁମନ୍ତ କୁମାର ସାହୁ ବିବରଣୀ ଉପସ୍ଥାପନ କରିଥିଲେ । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯାଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।