ଘୁମୁସର ଜିଲ୍ଲା ଗଠନ ଦାବି ନେଇ ଜିଲ୍ଳାପାଳଙ୍କୁ ସ୍ମାରକ ପତ୍ର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଘୁମୁସର ଜିଲ୍ଲା ଗଠନ ଦାବୀରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଓ ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ମିଳିତ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭଞ୍ଜନଗରରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ୧୯୯୩ ମସିହାରେ ଘୁମୁସର ଜିଲ୍ଲା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେ ସମ୍ପର୍କରେ ସୂଚନା ଦେଇ ସେତେବେଳେ ଜିଲ୍ଲାପାଳ, ରେଭେନ୍ୟୁ ଡିଭିଜନଲ କମିଶନର, ରାଜସ୍ଵ ପରିଷଦଙ୍କୁ ଯେଉଁ ଚିଠି ଲେଖିଥିଲେ ତାହା ରାଜସ୍ଵ ପରିଷଦ ପାଖରେ ଆଜି ବି ସ୍ଥଗିତ ରହିଛି । ବର୍ତ୍ତମାନ ପଦ୍ମପୁର ଜିଲ୍ଲା ଘୋଷଣା ପରିପ୍ରେକ୍ଷୀରେ ଘୁମୁସର ଜିଲ୍ଲା ପ୍ରଥମେ ବିଚାରକୁ ନିଆଯାଉ ବୋଲି ଏହି ସ୍ମାରକ ପତ୍ରରେ ଦର୍ଶାଯାଇଛି । ପ୍ରସ୍ତାବିତ ଘୁମୁସର ଜିଲ୍ଲା ଓ ପଦ୍ମପୁର ଜିଲ୍ଲା ସମ୍ପର୍କରେ ଏକ ତୁଳନାତ୍ମକ ପରିସଂଖ୍ୟାନ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । ପଦ୍ମପୁରର ଯେଉଁ ପରିସଂଖ୍ୟାନ ଦିଆଯାଇଛି ତାହା ବିଚାରକୁ ନେଲେ ଘୁମୁସର ଜିଲ୍ଲା ପ୍ରତ୍ୟେକ କ୍ଷେତ୍ରରେ ପଦ୍ମପୁର ଠାରୁ ଦୁଇଗୁଣରୁ ଉର୍ଦ୍ଧ୍ବ ଥିବା ଜଣାପଡୁଛି । ଏଣୁ ପଦ୍ମପୁର ଜିଲ୍ଲା ଘୋଷଣା ପରିପ୍ରେକ୍ଷୀରେ ଘୁମୁସର ଜିଲ୍ଲା ପ୍ରଥମେ ବିଚାରକୁ ନିଆଯାଇ ଜିଲ୍ଲା ମାନ୍ୟତା ଦେବା ସରକାରଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡିଛି I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକ ପତ୍ର ଦିଆଯାଇଛି । ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ ଓ ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ନେତୃତ୍ବରେ ହରିକୃଷ୍ଣ ସାହୁ, ସନ୍ତୋଷ କୁମାର ପଣ୍ଡା, ଭଗବାନ ଡାକୁଆ, ରବିନାରାୟଣ ସାମନ୍ତ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ସନ୍ତୋଷ କୁମାର ମିଶ୍ର, ପଣ୍ଡିତ ଵିପ୍ର ଚରଣ ସାହୁ, ବାଳକୃଷ୍ଣ ପାଢ଼ୀ, ଅଧ୍ୟାପକ ସୁଦର୍ଶନ ଦାସ,ଅରୁଣ କୁମାର ନାୟକ ପ୍ରମୁଖ ପ୍ରତିନିଧିମାନେ ଏହି ସ୍କାରକ ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ