ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମମତାଙ୍କ ପାଇଁ ଘର ନିର୍ମାଣ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମନୋହରପୁର ଗ୍ରାମର ମମତା ଦାସ ନାମକ ଜଣେ ମହିଳା ତାର ପେଟର ଜ୍ୱାଳା ସହି ନପାରି ତାର ଏକ ତିନିମାସର ଶିଶୁକନ୍ୟାକୁ ବିକ୍ରୀ କରିବାକୁ ଉଦ୍ୟମ କରୁଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବାପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଗଣମାଧ୍ୟମରୁ ଖବର ପାଇ ଏପରି ଏକ ସମ୍ବେଦନଶୀଳ ଘଟଣାର ବାସ୍ତବତା ଅନୁଧ୍ୟାନ କରିବାପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଗୁଡିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସତ୍ୟତା ସମ୍ପର୍କରେ ଅବଗତ ହେବାପରେ ଏବେ ମମତାଙ୍କ ପାଇଁ ସାହାଯ୍ୟର ସୁଅ ଛୁଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ପରିବାର ପାଇଁ ଖଟ, ବେଡସିଡ, କମ୍ବଳ, ଡ୍ରେସ, ଶାଢ଼ୀ, ରୋଷେଇ ସରଞ୍ଜାମ, ରେସନ ସାମଗ୍ରୀ, ମଶାରୀ ଆଦି ଯୋଗାଇ ଦିଆଯାଇଛି । ମହିଳା ଜଣକ କିପରି ଆତ୍ମନିର୍ଭରଶୀଳ ହେବ, ତାର ଛୁଆମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଆଜି ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳଙ୍କ ସହିତ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପହଞ୍ଚି ମହିଳା ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତାଙ୍କ ଦୁଖଃ ବୁଝିବାପରେ ସହାୟତା ପ୍ରଦାନ କରିଛନ୍ତି । ମମତା ଓ ତାର ଛୁଆ ମାନଙ୍କ ପାଇଁ ଶାଢ଼ୀ, ଡ୍ରେସ, କମ୍ବଳ, ମାସକ ପାଇଁ ରେସନ ସାମଗ୍ରୀଯୋଗାଇ ଦେଇଥିଲେ । ତାଙ୍କର ରହିବାକୁ ଘର ନଥିବାବେଳେ ପ୍ରବଳ ଶୀତ କାକରରେ ଏକ ପଲିଥିନି ଟାଙ୍ଗି ରହୁଥିବାର ଦେଖି ଦିନକ ଭିତରେ ଘର ନିର୍ମାଣ କରି ଦେବାର ପ୍ରତିଶୃତି ଦେଇଥିଲେ । ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ବିଶ୍ୱନାଥ ପ୍ରତାପ ଜେନା ଓ ସଦସ୍ୟ ତାପସ ନାୟକ, ଅନିଲ ସା, ପ୍ରବିର କୁମାର ନାୟକ, ସୁମନ୍ତ କୁମାର ଜେନା,ସୁମନ୍ତ କୁମାର ଜେନା, ସରୋଜ ନାୟକ, ଦେବାଶିଷ ସୁତାର, ଦିପକ କୁମାର ଜେନା, ଶଦାଶିବ ନାୟକ, ରବିନ୍ଦ୍ର ଜେନା, ପବିତ୍ର ଜେନା, ରମେଶ ସେନାପତି, ଅରୁଣ କୁମାର ଜେନା, ବିଦ୍ୟାଧର ମଲ୍ଲିକ, ସୌମ୍ୟ ରଞ୍ଜନ ବେହେରା, ହିମାଶୁଂ ଜେନା, ଶୁକଦେବ ପହି, ବିପିନି କୁଅଁର ପ୍ରମୁଖ ତୁରନ୍ତ ଘର ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି । ଦିନକ ଭିତରେ ଯେପରି ହେଲେ ଆଜବେଷ୍ଟସ ଘର ଖଣ୍ଡିଏ ତୋଳିବାକୁ ସେମାନେ ଲାଗିପଡିଛନ୍ତି । ପ୍ରବଳ ଶୀତରୁ ରକ୍ଷା ପାଇବା ସହିତ ଆରାମରେ କୁନି କୁନି ଛୁଆଙ୍କୁ ଧରି ଟିକେ ଘର ଭିତରେ ଆଶ୍ରା ନେବ ଏହି ଉଦ୍ଦେଶ୍ୟ ରଖି ସଂଗଠନର ୨୦ରୁ ଉର୍ଦ୍ଧ ସଦସ୍ୟ ଆଜି ଲାଗିପଡିଛନ୍ତି ଘର କାମରେ । କିଏ କୋଦାଳ ତ କିଏ ଶାବଳ ଧରି କାମରେ ଲାଗିପଡିଛନ୍ତି । ନିଜ ନିଜ ଭିତରେ ଚାନ୍ଦାକରି ସଙ୍ଗେ ସଙ୍ଗେ ଇଟା, ବାଲି, ସିମେଣ୍ଟ ମଗାଇ ଘର ତୋଳିବାରେ ଲାଗି ପଡିଛନ୍ତି ଏହି ସ୍ୱେଚ୍ଛାସେବୀ ସଦସ୍ୟ ମାନେ । ଏପରିକି ମମତାଙ୍କ ସାନ ଛୁଆଟିର ୧୮ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଚଳନି ପାଇଁ ପ୍ରତିମାସ ହଜାରେ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟର ସଦସ୍ୟମାନେ ଘୋଷଣା କରିଛନ୍ତି । ଏହାକୁ ଦେଖି ନିଜ ଜନ୍ମ କଲା ୩ମାସର ଝିଅକୁ ବିକିବାକୁ ବସିଥିବା ମମତା ଦାସ ମଧ୍ୟ ଖୁସିରେ ଆତ୍ମହରା ହୋଇ ପଡିଛନ୍ତି । ଘର ତିଆରି ହୋଇଗଲେ ସେହି ଘରେ ରହିବେ, ତାଙ୍କ ଛୁଆ ଗୁଡିକୁ ପାଖ ସ୍କୁଲକୁ ଶିକ୍ଷାଲାଭ ପାଇଁ ପଠାଇବେ ବୋଲି କହିଛନ୍ତି । ସେହିପରି ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ ମଧ୍ୟ ତାଙ୍କୁ କିପରି ତୁରନ୍ତ ରେସନକାର୍ଡ , ବିଦ୍ଧବା ଭତ୍ତା ଦିଆଯିବ ସେନେଇ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି । ଏପରିକି ଆଗାମି ଜିଲ୍ଲାପରିଷଦ ବୈଠକରେ ଏ ସମ୍ପର୍କରେ ଆଲୋଚନା କରି କିପରି ଆବାସ ଯୋଜନାରେ ଘର ଖଣ୍ଡିଏ ଦିଆଯିବ ସେନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି । ବିଶେଷକରି ଏହି ସମ୍ବେଦନଶୀଳ ଘଟଣାକୁ ଲୋକ ଲୋଚନକୁ ଆଣିବାରେ ସକ୍ରୀୟ ଭୁମିକା ଗ୍ରହଣ କରିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସେମାନେ ଧନ୍ୟବାଦ ଦେଇଛନ୍ତି । ଅନ୍ୟପକ୍ଷରେ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ସ୍ୱେଚ୍ଛାସେବୀ ସଂଗଠନକୁ ମଧ୍ୟ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ