ବିଲରେ ଲାଗୁଛି ନିଆଁ, ଚାଷୀ ଆତଙ୍କିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଏବେ କେତେକ ଚାଷୀ ସେମାନଙ୍କ ଚାଷଜମିରୁ ଧାନ କାଟି ସାରିଥିବାବେଳେ ଆଉ କିଛି ଚାଷୀଙ୍କର ଧାନ ଏବେବି ବିଲରେ ପଡିଛି । ଏପରିସ୍ଥିତିରେ କେହି ଦୁର୍ବୁତ ନଡା କିଆରୀରେ ନିଆଁ ଲଗାଇ ଦେଉଥିବାରୁ ବିଲରୁ ଧାନ ଅମଳ କରିନଥିବା ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି । ଏପରି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ପଢ଼ିଆରିପଲ୍ଲୀ ଗ୍ରାମରେ । ଏହି ଗ୍ରାମରେ ଏବେ ଅଧିକାଶଂ ଚାଷୀଙ୍କ ଧାନ ବିଲରେ କଟା ନହୋଇ ପଡି ରହିଛି । ଆଉ କିଛି ଧାନ କାଟିସାରି ବିଲରେ ଶୁଖାଇଛନ୍ତି । ସେହିପରି ଆଉ କିଛି ଚାଷୀ ମେସିନି ସାହାଯ୍ୟରେ ଧାନ କାଟି ଧାନଅମଳ କରି ଘରକୁ ନେଇ ଆସିଥିବାବେଳେ ନଡାସବୁକୁ ବିଲରେ ଛାଡି ଦେଇଛନ୍ତି । କେହି ବ୍ୟକ୍ତି ଆଜି ଏହି ନଡା କିଆରୀରେ ନିଆଁ ଲଗାଇ ଦେବାରୁ ଏକର ଏକର ନଡା କିଆରୀକୁ ନିଆଁ ବ୍ୟାପିଯାଇଥିଲା । ଧାନ ଅମଳ କରିନଥିବା ଚାଷୀମାନେ ଏନେଇ ଭୟଭୀତ ହୋଇ ପଡିଥିଲେ । ଆଜି ମଧ୍ୟାହ୍ନରେ ପବନ ବହୁଥିବାରୁ ଚାହୁଁ ଚାହୁଁ ନିଆଁ ଚତୁର୍ଦ୍ଦିଗକୁ ବ୍ୟାପିଯିବାରୁ ଧାନ ଅମଳ କରିନଥିବା ଚାଷୀମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ କରିବାରେ ସଫଳ ହୋଇପାରି ନଥିଲେ । ତେଣୁ ସେମାନେ ବାଧ୍ୟହୋଇ ଆଗରପଡା ଦମକଳ କେନ୍ଦ୍ରକୁ ଜଣାଇଥିଲେ । ଆଗରପଡାରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।