ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟସୁଚୀ ଅନୁଯାୟୀ ଆଲୋଚନା ପରେ ସ୍ଥିର ହେଲାଯେ, ସାଧାରଣତନ୍ତ୍ର ଦିବସର ପ୍ରତ୍ୟୁଷ ୪ଟା୩୦ମିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୌରାଞ୍ଚଳରେ ରାମଧୁନ ପରିବେଷଣ କରାଯିବ । ସକାଳ ୭ଟା୩୦ମି. ସୁଦ୍ଧା ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନ ଓ ନିଜସ୍ୱ ଗୃହମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସନ୍ଧ୍ୟା ପୂର୍ବରୁ ଅବତରଣ କରାଯିବ । ସକାଳ ୮ଟା୩୦ମି. ସମୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ଅଭିଭାଷଣ ପ୍ରଦାନ କରାଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯିବ । ଏହି ଜାତୀୟ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ବାହିନୀ ବ୍ୟାଣ୍ଡପାର୍ଟି ପକ୍ଷରୁ ରାଷ୍ଟ୍ରୀୟ ସଙ୍ଗୀତ ପରିବେଷଣ କରାଯିବ । ସ୍ୱାଧିନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ କଏଦୀମାନଙ୍କୁ ମିଷ୍ଠାନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ବକ୍ତୃତା, ଦେଶଭକ୍ତି ସଙ୍ଗୀତ, ଚିତ୍ରକଳା ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହେବ । ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଦ୍ୱାରା ଭିନ୍ନକ୍ଷମ ଛାତ୍ରଛାତୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା କରାଇବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଉକ୍ତ ଜାତୀୟ ଦିବସରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଓ ଜନକଲ୍ୟାଣକାରୀ ଯୋଜନା ପ୍ରଜ୍ଞାପନ ମେଢ ମାଧ୍ୟମରେ ପ୍ରଦର୍ଶିତ କରିବା ପାଇଁ ସ୍ଥିର କରାଯାଇଥିଲା । ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ସମସ୍ତ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ଯୋଗଦେଇ ଏହି ଜାତୀୟ ଦିବସକୁ ଶୃଙ୍ଖଳାର ସହ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ଡିଏସପି କୃଷ୍ଣ ପ୍ରସାଦ ମିଶ୍ର, ଡା. ନୃପେନ ଶତପଥୀ, ପୁଲିସ ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସ, କେନ୍ଦ୍ରାପଡା କଲେଜର ଏନସିସି ଅଫିସର କ୍ୟାପଟେନ ସୀମା ମହାନ୍ତି, ଲିଡ ବ୍ୟାଙ୍କ ମ୍ୟାନେଜର ମଳୟ କୁମାର ମିଶ୍ର, ଭାରତୀୟ ଷ୍ଟେଟବ୍ୟାଙ୍କ ଅଫିସର ସୁରେଶ କୁମାର ପୃଷ୍ଟି, ପ୍ରୋଗ୍ରାମ ଅଫିସର ସଂଯୁକ୍ତା ମିର୍ଶ, ପୂର୍ତ୍ତ ବିଭାଗ(ରାସ୍ତା ଓ ଗୃହ)ର ସହକାରୀ ଯନ୍ତ୍ରୀ ପ୍ରଶନ୍ନ କୁମାର ସାମଲ, ପିଏଚଡି ସହକାରୀ ଯନ୍ତ୍ରୀ ରମଣ କୁମାର ଦାସ, ଅବକାରୀ ନିରୀକ୍ଷକ କାଳନ୍ଦି ଚରଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୂପାଲି ପ୍ରିୟଦର୍ଶନୀ, ବିଭିନ୍ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ କଲେଜ ଓ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ