କେନ୍ଦ୍ରାପଡାରେ ପୁରୁଷ ବିଶ୍ୱକପ ହକି ଟ୍ରଫିକୁ ବିପୁଳ ସ୍ୱାଗତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସୋମବାର ସନ୍ଧ୍ୟା ୭ଟା ବେଳେ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ମିଳନସ୍ଥଳୀ ପଞ୍ଚୁପାଣ୍ଡବ ଛକରେ ଯାଜପୁର ଜିଲ୍ଲା ପ୍ରଶାସନ ଠାରୁ ପୁରୁଷ ବିଶ୍ୱକପ ହକି ଟ୍ରଫିକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଗ୍ରହଣ କରିଥିଲା । ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା, ଜନପ୍ରତିନିଧି, ସାଂସ୍କୃତିକ ଅନୁଷ୍ଠାନର ସଭ୍ୟସଭ୍ୟା, ସାଧାରଣ ଜନତାଙ୍କ ସମେତ ଜିଲ୍ଲାର ବିଭିନ୍ନ ବିବାଗର ଅଧିକାରୀମାନେ ଉପସ୍ଥିତ ରହି ଏକ ଶୋଭାଯାତ୍ରାରେ ପୁରୁଷ ବିଶ୍ୱକପ ହକି ଟ୍ରଫିକୁ ଦୁହୁରିଆ ଛକ ପର୍ଯ୍ୟନ୍ତ ଆଣିଥିଲେ । ଦୁହୁରିଆ ଠାରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆ, ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ଉପାଧ୍ୟକ୍ଷା ପ୍ରତାପନାରାୟଣ ମହାପାତ୍ର, ଜନପ୍ରତିନିଧିମାନେ ଢୋଲବାଜା ଓ ଷଣ୍ଢ ଲଢେଇ ସହିତ ସ୍ୱାଗତ କରିଥିବା ବେଳେ ଏକଶହରୁ ଅଧିକ ବାଇକ ଯୋଗେ ଜିଲ୍ଲା ଆଥଲେଟିକ ଆସୋସିଏସନର କର୍ମକର୍ତ୍ତାମାନେ ଦୁହୁରିଆ ଛକରୁ ତିନିମୁହାଣି ଛକଦେଇ ଜଜାଙ୍ଗସ୍ଥିତ ସର୍କିଟ ହାଉସକୁ ପାଛୋଟି ନେଇଥିଲେ । ମଙ୍ଗଳବାର ସକାଳ ସାଢେ ୭ଟାରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରୁ ଏକ ବିଶାଳ ର୍ୟାଲି ବାହାରି କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ ଓ ଗୋବରୀ ନଦୀ ବାଇପାସ ରୋଡଦେଇ ପୁନର୍ବାର ସେହି ଖେଳ ପଡିଆକୁ ଫେରି ଆସିଥିଲା । ଏହି ର୍ୟାଲିକୁ ପୈାରାଧ୍ୟକ୍ଷା ସରିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଦୁର୍ଗା ପ୍ରସାଦ ମହାରଣା ପ୍ରମୁଖ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ର୍ୟାଲିରେ କେନ୍ଦ୍ରାପଡାର ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ନିର୍ଦ୍ଦିଷ୍ଟ ପୋଷାକ ପରିଧାନ ପୂର୍ବକ ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ । ସକାଳ ୯ଘଟିକାରେ ଏହି ଟ୍ରଫି ଖେଳପଡିଆରେ ପହଞ୍ଚିବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ।ାରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ଗ୍ରହଣ କରି ସାଧାରଣଙ୍କ ପାଇଁ ଖେଳପଡିଆସ୍ଥିତ ମଞ୍ଚରେ ସ୍ଥାପନା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୬ାପଡା ବିଦାୟକ ଶଶି ଭୂଷଣ ବେହେରା, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ପୈାରାଧ୍ୟକ୍ଷା, ବିଭିନ୍ନ ବ୍ଲକର ଅଧ୍ୟକ୍ଷ,ଅଧ୍ୟକ୍ଷାମାନେ ଯୋଗଦେଇ ଟ୍ରଫିକୁ ସ୍ୱାଗତ କରିବା ସହ ଏହା ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଟ୍ରଫିକୁ ବିଦାୟ ଦିଆଯାଇଥିଲା । ଏହା ପରେ ଟ୍ରଫି ସହରର ସାନ୍ତସାହି ଓ ସାନମଙ୍ଗଳା ଛକ ଦେଇ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲା । ସେଠାରେ ମନ୍ଦିର ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରେୀ ଭଳଭଦ୍ର ପତ୍ରୀଙ୍କ ନେତୃତ୍ୱରେ ସେବାୟତମାନେ ଟ୍ରଫିକୁ ଶ୍ରୀଜୀଉଙ୍କ ଅଙ୍ଗଲାଗି ବସ୍ତ୍ର, ପୁଷ୍ପମାଲ୍ୟ ପ୍ରଭୃତି ଦେଇ ସ୍ୱାଗତ କରିଥିଲେ । ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଓ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ବିଭିନ୍ନ ସ୍ଳୋଗାନ ଦେଇ ରଥଦାଣ୍ଡରେ ଟ୍ରଫିକୁ ଆଗେଇ ନେଇଥିଲେ । ଟ୍ରଫିକୁ ଛଗରିଆ ଛକରେ ମାର୍ଶାଘାଇ ବିଡିଓ ଉମାଶଙ୍କର ବେହେରା, ବ୍ଲକ ଅଧ୍ୟକ୍ଷା, ସଂକୀର୍ତ୍ତନ ଦଳ ଢୋଲବାଜା ସହ ଟ୍ରଫିକୁ ସ୍ୱାଗତ କରି ମାର୍ଶାଘାଇ କ୍ରସିଂ ପର୍ଯ୍ୟନ୍ତ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନେଇଥିଲେ । ସେଠାରୁ ବିଦାୟ ନେଇ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ମାର୍ଶାଘାଇ ବିଡିଓ ପ୍ରମୁଖଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲା ପରିସୀମା ଅତିକ୍ରମ କରି ପାରାଦୀପରେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଟ୍ରଫି ହସ୍ତାନ୍ତର କରିଥିଲେ । ଜିଲ୍ଲାରେ ଏହି ଟ୍ରଫି ଗସ୍ତ ସମୟରେ ସାଧାରଣ ଲୋକଙ୍କ ଭିତରେ ଆନନ୍ଦ ଉଲ୍ଲାସ ଭରିଦେଇଛି ।


