ଜିଲାସ୍ତରୀୟ ବୈଧ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନତା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ବୈଧ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରୋତ୍ସହନ ନିମନ୍ତେ ଜିଲାସ୍ତରୀୟ ପୋଷ୍ୟ ସନ୍ତାନ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ସଦଭାବନା ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତଥା ଶିଶୁ ସୁରକ୍ଷା ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରିବା ସହିତ ପୋଷ୍ୟ ସନ୍ତାନ ଗ୍ରହଣରେ ଆଇନଗତ ଜଟିଳତାକୁ ସହଜ କରି ସ୍ୱତନ୍ତ୍ର ଭାବେ କନ୍ୟା ଶିଶୁ ଶୋଷଣ ବନ୍ଦ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା କହିଥିଲେ । ଅନ୍ୟପକ୍ଷରେ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାକୁ ଆଗକୁ ନେବାରେ ଶିଶୁ ମଙ୍ଗଳ କମିଟି, ପୁଲିସ, ମହିଳା ଓ ଶିଶୁ ଡେସ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ସୂଚନା ଦେଇଥିଲେ । ବୈଧ ପୋଷ୍ୟ ସନ୍ତାନ ଗ୍ରହଣ ପଦ୍ଧତି ସମ୍ପର୍କିତ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବ୍ୟାପକ ପ୍ରଚାର ପ୍ରାସରର ଆବଶ୍ୟକତା ରହିଛି ବୋଲି ଜିଲାପାଳ ସୂଚନା ଦେଇଥିଲେ ।ଏନେଇ ପ୍ରତ୍ୟେକ ଥାନା, ତହସିଲ, ବ୍ଲକ୍ ଆଦି କାର୍ଯ୍ୟାଳୟ ସମ୍ମୁଖରେ ବୈଧ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ବାର୍ତ୍ତା ସମ୍ବଳିତ ହୋର୍ଡ଼ିଂ ଓ ବ୍ୟାନର ଲଗାଇବା ଏବଂ ୱେବ୍‌ସାଇଟ୍ ମାଧ୍ୟମରେ ଏହାର ପ୍ରଚାର କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ସନ୍ତାନ ନଥିବା ପିତାମାତା ତଥା ସାଧାରଣ ଜନତାଙ୍କ ମଧ୍ୟରେ ବୈଧ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସଚେତନତା ସୃଷ୍ଟି ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭାଗିରଥି ବାରିକଙ୍କ ସମେତ ସଦସ୍ୟ ଶତ୍ରୁଘ୍ନ ମଲ୍ଲିକ, ଆରକ୍ଷୀ ଉପ ଅଧିକ୍ଷକ ମାନସ ଦେଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ ଏଥିରେ ଯୋଗ ଦେଇଥିଲେ । ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମାଝୀ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ସିଡିପିଓ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ, ଥାନାର ମହିଳା ଓ ଶିଶୁ ଡେସ୍କ ଅଧିକାରୀ, ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଚାଇଲ୍ଡ ଲାଇନ କର୍ମଚାରୀମାନେ ଯୋଗ ଦେଇଥିଲେ । ପ୍ରଥମ ଅଧିବେଶନ ପରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପତାକା ହଲାଇ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ । ଦ୍ୱିତୀୟ ଅଧିବେଶନରେ ପୋଷ୍ୟ ସନ୍ତାନ ଗ୍ରହଣର ବୈଧତା ଓ ଏହାର ବୈଷୟିକ ଦିଗ ଉପରେ ପ୍ରଶିକ୍ଷଣ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ