ଗଜପତିରେ ରାଜ୍ୟ ଲୋକାୟୁକ୍ତଙ୍କ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, – (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭାଗୃହ ଠାରେ ରାଜ୍ୟ ଲୋକାୟୁକ୍ତଙ୍କ ପକ୍ଷରୁ ଲୋକାୟୁକ୍ତ ଅଧିନିୟମକୁ ନେଇ ଏକ ସଚେତନତା ସଭା ଜିଲା ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଓଡିଶା ରାଜ୍ୟରେ ପ୍ରଥମେ ୨୦୧୪ ମସିହାରେ ଲୋକାୟୁକ୍ତ ଅଧିନିୟମ ଲାଗୁ ହୋଇଥିଲେ ମଧ୍ୟ ତାହା ୨୦୧୮ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା ଏବଂ ୨୦୧୯ ମସିହା ଫେବୃୟାରୀ ମାସରେ ଲୋକାୟୁକ୍ତଙ୍କ ନିଯୁକ୍ତି କରାଯାଇଥିଲା । ରାଜ୍ୟ ଲୋକାୟୁକ୍ତର ଅଧ୍ୟକ୍ଷ ଜଷ୍ଟିସ ଅଜିତସିଂଙ୍କ ନେତୃତ୍ୱରେ ଏକ ଟିମ୍ ପାରଳାଖେମୁଣ୍ଡି ତଥା ଗଜପତି ଜିଲାକୁ ଆସି ଏଠାରେ ଲୋକାୟୁକ୍ତ ଅଧିନିୟମ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମରେ ପ୍ରଥମେ ଗଜପତି ଜିଲା ଦୈରାଜଜ୍ ବିଶ୍ୱଜିତ ଦାସ ଲୋକାୟୁକ୍ତ ସମ୍ପର୍କରେ ସୂଚନା ଦେଇ ଏହାର ଅଧିନିୟମର ବିଭିନ୍ନ ପରିସର ବିଷୟରେ ସମସ୍ତେ ଜାଣିବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟତଃ ଲୋକାୟୁକ୍ତ ଅଧିନିୟମ ଦ୍ୱାରା ବା ଏହାର କାର୍ଯ୍ୟକାରୀତା ଦ୍ୱାରା ଦୁର୍ନିତୀକୁ ମୂଳଉତ୍ପାଟନ କରାଯାଇପାରିବ ବୋଲି ସେ କହିଥିଲେ । ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣକର୍ମଚାରୀ ଏବଂ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ସାଂସଦୀୟ କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ ଜନପ୍ରତିନିଧି ଲୋକାୟୁକ୍ତଙ୍କ ପରିସର ଭିତରେ ରହିବେ ବୋଲି ଏଥିରେ କୁହାଯାଇଥିଲା । ଯଦି ଜଣେ ସାଧାରଣ ବ୍ୟକ୍ତି କୌଣସି ଜନପ୍ରତିନିଧି କିମ୍ବା ଅଧିକାରୀ ଦୁର୍ନିତୀଗ୍ରସ୍ତ ବୋଲି ତଥ୍ୟ ଆଧାରିତ ଅଭିଯୋଗ ଲୋକାୟୁକ୍ତଙ୍କ ନିକଟରେ କରନ୍ତି ତେବେ ଲୋକାୟୁକ୍ତ ତୁରନ୍ତ ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣକରି ଉକ୍ତ ତଥ୍ୟର ଅନୁସନ୍ଧାନ କରି ସେହି ବ୍ୟକ୍ତିବିଶେଷଙ୍କ ଦୁର୍ନିତୀ ଉପରେ ତଦାରଖ କରିବେ ବୋଲି ସଚେତନ କରାଯାଇଥିଲା । ଯଦି କୌଣସି ଅଧିକାରୀ ବା ରାଜନେତା ଦୁର୍ନିତୀରେ ଲିପ୍ତ ଥିବାର ଲୋକାୟୁକ୍ତ ସଠିକ ପ୍ରମାଣ ପାଆନ୍ତି ତେବେ ତାଙ୍କ ବିପକ୍ଷରେ ଶୁଣାଣୀ ମଧ୍ୟ କରିବାର ବିଧେୟ ରହିଥିବା କାର୍ଯ୍ୟକ୍ରମରେ କୁହାଯାଇଥିଲା । ଲୋକାୟୁକ୍ତ ଗଠନ ସମୟରେ ଲୋକାୟୁକ୍ତକୁ ଦୁଇଭାଗ କରାଯାଇ ଗୋଟେ ଅନୁସନ୍ଧାନ ବିଭାଗ ଓ ମାମଲା ପରିଚାଳନା ବିଭାଗ ଏହିପରି ଦୁଇଟି ଭାଗରେ ବିଭକ୍ତ କରାଯାଇଥିବା କୁହାଯାଇଛି । ସେହିପରି ଜଣେ ସାଧାରଣ ବ୍ୟକ୍ତି କୌଣସି ଅଧିକାରୀଙ୍କୁ ଅଜଥା ହଇରାଣ କରିବାପାଇଁ ତାଙ୍କ ନାମରେ ଯଦି ଦୁର୍ନିତୀ ଅଭିଯୋଗ ଆଣନ୍ତି ଏବଂ ସେହି ତଥ୍ୟ ଭୁଲ ପ୍ରମାଣିତ ହେଲେ ସେ କ୍ଷେତ୍ରରେ ଉକ୍ତ ସାଧାରଣ ବ୍ୟକ୍ତି ଜଣକ ମଧ୍ୟ ଦଣ୍ଡିତ ହେବାର ନିୟମ ଲୋକାୟୁକ୍ତଙ୍କ ନିକଟରେ ରହିଛି ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା । ମୁଖ୍ୟତଃ ଗଜପତି ଜିଲା ତଥା ରାଜ୍ୟରେ ଦୁର୍ନିତୀ ସମ୍ପୂର୍ଣ୍ଣ ଭାବେ କିପରି ବନ୍ଦ ହେବ ସେଥିପାଇଁ ଏହି ଲୋକାୟୁକ୍ତ କାର୍ଯ୍ୟକରିବ ବୋଲି ଟିମ୍ର ବିଭିନ୍ନ ସଦସ୍ୟ ବିସ୍ତୃତ ଭାବେ ବୁଝାଇବା ସହ ଏଥିପାଇଁ ସାଧାରଣ ଜନତା ମଧ୍ୟ ସଚେତନ ହେବା ସହ ଏହି ଅଧିନିୟମ ବିଷୟରେ ବୁଝିବା ଆବଶ୍ୟକ ବୋଲି କହିଥିଲେ । ଲୋକାୟୁକ୍ତ ଗଠନପରେ ବର୍ତ୍ତମାନ ସୁଦ୍ଧା ମୋଟ ୮୬୪ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିରୁ ୩୮୭ଟି ଅଭିଯୋଗର ଶୁଣାଣୀ ସରିଥିବାବେଳେ ଆହୁରି ୪୭୭ଗୋଟି ଅଭିଯୋଗ ଲୋକାୟୁକ୍ତଙ୍କ ନିକଟରେ ଶୁଣାଣୀ ଅପେକ୍ଷାରେ ରହିଅଛି ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଲୋକାୟୁକ୍ତଙ୍କ ସଦସ୍ୟ ଜଷ୍ଟିସ ବି.କେ.ନାୟକ, ସଦସ୍ୟ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା, ସଭ୍ୟ ଡ.ଦେବେନ୍ଦ୍ର ସ୍ୱାଇଁ, ଗଜପତି ଜିଲାପାଳ ଅନୁପମ ସାହା, ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମଞ୍ଚାସୀନ ରହିଥିବାବେଳେ ଶେଷରେ ଓଡିଶା ଲୋକାୟୁକ୍ତର ସଚିବ ମାନସ ରଂଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସରକାରୀ ଅଧିକାରୀ, ବରିଷ୍ଠ ନାଗରିକ ଏବଂ ସାଧାରଣ ଜନତା ପ୍ରମୁଖ ଉପସ୍ଥିତଥିଲେ ।