ଜଳବାୟୁ ପରିବର୍ତ୍ତନ ରୋକା ନ ଗଲେ ପୃଥିବୀ ଧ୍ୱଂସ ପାଇବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦ୍ୟୁଷଣ ତଥା ବଢି ଚାଲିଥିବା ତାପମାନ ଆଜି ମାନବ ସଭ୍ୟତା ପାଇଁ କାଳ ହୋଇଛି । ମହାମାରୀ କୋଭିଡ଼, ଦୁର୍ଭିକ୍ଷ, ବୃଷ୍ଟିହୀନତା, ବନ୍ୟା, ବାତ୍ୟା ଇତ୍ୟାଦି ପାଇଁ ଏହି ଜଳବାୟୁ ପରିବର୍ତ୍ତନ ହିଁ ଦାୟୀ । ବର୍ତ୍ତମାନ ପୃଥିବୀ ପୃଷ୍ଠରୁ ଅନେକ ଜୀବଜନ୍ତୁ ଓ ଫଳପୁଷ୍ପ ଲୋପ ପାଇଗଲାଣି । ଏହି ଧାରା ଜାରି ରହିଲେ ଆଗାମୀ ଦଶବର୍ଷ ଭିତରେ ଆମେ ବିଭୀଷିକା ବିଧ୍ୱସ୍ତ ମଧ୍ୟରେ ନିଜକୁ ପାଇବା । ଜାତିସଂଘର ଏକ ଆକଳନ ଅନୁଯାୟୀ ଯଦି ସମୁଦ୍ର ପତ୍ତନ ୦.୫ ସେଣ୍ଟିମିଟର ବୃଦ୍ଧିପାଏ ତେବେ କେବଳ ଭାରତରୁ ୨୫ କୋଟି ଲୋକ ନିଶ୍ଚିହ୍ନ ହୋଇଯିବେ । ବିଶାଖାପାଟଣା, ଚେନ୍ନାଇ, ମୁମ୍ବାଇ, କୋଚି ତଥା ଓଡ଼ିଶାର ଗୋପଳପୁର, ପାରାଦ୍ୱୀପ ଆଦି ସମସ୍ତ ଉପକୂଳବର୍ତ୍ତୀ ସହର ଜଳମଗ୍ନ ହୋଇଯିବ ବୋଲି ଓଡ଼ିଶା କଲ୍ୟାଣ ପାର୍ଟିର ନବନିର୍ବାଚିତ ସଭାପତି ଡଃ ଅଭିନ୍ନ ଚନ୍ଦ୍ର ହେତା ପ୍ରତିଷ୍ଠାତା ସଭାପତି ଶ୍ରୀ ଆଲୋକ ଜେନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ସୋମବାର ଦିନ ଓଡ଼ିଶା ପ୍ରେସ୍ କ୍ଲବଠାରେ ଦଳର କାର୍ଯ୍ୟକାରିଣୀ ବୈଠକରେ ‘ସମସ୍ତଙ୍କ ପାଇଁ ନିଶୁଳ୍କ ଶିକ୍ଷା ସମସ୍ତଙ୍କ ପାଇଁ ନିଶୁଳ୍କ ସ୍ୱାସ୍ଥ୍ୟ’ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ସମ୍ବିଧାନର ବିଭିନ୍ନ ଧାରା ୧୪ ସମାନତାର ଅଧିକାର, ଧାରା ୧୯ ବାକ୍ ସ୍ୱାଧୀନତା ଏବଂ ଧାରା ୨୧ ଜୀବନ ଏବଂ ଜୀବିକାର ଅଧିକାରକୁ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରିବାକୁ ଦଳ ତାର ଅଙ୍ଗୀକାର ବଦ୍ଧତାକୁ ପରିପ୍ରକାଶ କରିଥିଲା । ମାନବାଧିକାର, ସାମାଜିକ ନ୍ୟାୟ, ଚାଷୀ ସମସ୍ୟା, ମହିଳା, ଛାତ୍ର, ଯୁବକ ସମ୍ପର୍କିତ ସମସ୍ୟା ସମ୍ବନ୍ଧରେ ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରିଣୀ ଦ୍ୱାରା ଉପସଭାପତି ଡଃ ରାମଚନ୍ଦ୍ର ରାଉତରାୟ, ଶ୍ରୀ ସୁଶାନ୍ତ ବେଉରିଆ, ସାଧାରଣ ସମ୍ପାଦକ ଇଂ ରାଜେଶ ମଲ୍ଲକି, ଡଃ ସଂଘମିତ୍ରା ମହାନ୍ତି, ତାପସ ଦାସ ଏବଂ କୋଷାଧ୍ୟକ୍ଷ ଡଃ ଅନୁ ଭଲ୍ଲା ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ । ଓଡ଼ିଶା କଲ୍ୟାଣ ପାର୍ଟିର ମୁଖ୍ୟ ନିର୍ବାଚନ ଅଧିକାରୀ ଆଡ଼ଭୋକେଟ ରଶ୍ମିରେଖା ପଣ୍ଡା ନିର୍ବାଚନ ପରିଚାଳନା କରିଥିଲେ । ମୁଖ୍ୟ ଆଇନ ପରାମର୍ଶଦାତା ଆଡ଼ଭୋକେଟ ତରଣିକାନ୍ତ ବିଶ୍ୱାଳ ସମସ୍ତ ବିଷୟକୁ ଭାରତ ତଥା ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଥିଲେ । ମୁଖ୍ୟ ମୁଖପାତ୍ର ଡଃ ମଙ୍ଗଳା ପ୍ରସାଦ ମହାନ୍ତି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିଲେ ।


