ଚର୍ଚ୍ଚାରେ ଭିନ୍ନ ଧରଣ ଅଟୋ
ରାତାରାତି ଷ୍ଟାର୍ ପାଲଟିବା ଲାଗି କିଛି ଲୋକଙ୍କର ଝୁଙ୍କ ରହିଛି । ଏବେ ଚର୍ଚ୍ଚାକୁ ଆସିଛନ୍ତି ମୁମ୍ବାଇରେ ରହୁଥିବା ଜଣେ ଅଟୋ ଚାଳକ । ନିଜ ଅଟୋ ଭିତରେ ଯାତ୍ରୀଙ୍କ ପାଇଁ ରଖିଥିବା ସୁବିଧା ପାଇଁ ଆଜି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସାଧାରଣତଃ ଭାବେ ଲୋକେ ଅଟୋରେ ଏସିର ସୁବିଧା ନଥିବାରୁ କ୍ୟାବ୍ କରି ଯିବା ପାଇଁ ପସନ୍ଦ କରିଥାନ୍ତି । ଏମିତି କି କ୍ୟାବରେ ଫୋନ ଚାର୍ଜ କରିବାର ସୁବିଧା ମଧ୍ୟ ମିଳି ଯାଇଥାଏ । କ୍ୟାବ୍ ପ୍ରତି ଲୋକଙ୍କ ଭଲପାଇବା ଦେଖି ମୁମ୍ବାଇର ସତ୍ୟବାନ ନାମକ ଜଣେ ଅଟୋ ଚାଳକ କରିଥିବା କାମ ଏବେ ତାଙ୍କୁ ଚର୍ଚ୍ଚିତ କରାଇଛି । ଅଟୋରେ ଯାତ୍ରୀଙ୍କ ପାଇଁ ସେ ଫ୍ୟାନ୍, ଟିଭି, ହାତ ସଫା କରିବା ପାଇଁ ବେସିନ୍ ଓ ଫୋନ ଚାର୍ଜ କରିବା ପାଇଁ ଚାର୍ଜିଙ୍ଗ ପଏଣ୍ଟ ରଖିଛନ୍ତି । ଏମିତି କି ବୃଦ୍ଧବୃଦ୍ଧାମାନଙ୍କର ୧ କିଲୋମିଟର ପର୍ଯ୍ୟନ୍ତ ଭଡ଼ା ମଧ୍ୟ ସେ ଛାଡ଼ କରନ୍ତି ବୋଲି ସାମ୍ନାକୁ ଆସିଛି । ସତ୍ୟବାନଙ୍କ କହିବା ଅନୁଯାୟୀ, ଆପଣମାନେ ମୋ ଅଟୋରେ ଗଲେ ନିଜର ଫୋନ ଚାର୍ଜ କରି ପାରିବା ସହ ବିଶୁଦ୍ଧ ପାଣି ପିଇ ପାରିବେ । ଏହା ସହ ନିଜର ହାତ ମଧ୍ୟ ଧୋଇ ପାରିବେ । ଏ ସବୁ ମୁଁ ଯାତ୍ରୀମାନଙ୍କ ସୁବିଧା ପାଇଁ କରିଛି ବୋଲି ସେ କହିଛନ୍ତି ।