ବାପା ପରେ ଚାଲିଗଲା ମା, ଅନାଥ ହୋଇଗଲେ ୪ଶିଶୁ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଗତ କିଛିମାସ ପୁର୍ବେ ରୋଗରେ ପଡି ବାପା ଚାଲିଯାଇଥିଲେ, ଏବେ ଗତ୨୮ତାରିଖ ଦିନ ସେହିପରି ରୋଗରେ ପଡି ଚାଲିଗଲେ ମା, ଫଳରେ ଅନାଥ ହୋଇଗଲେ ୪ଶିଶୁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେ ବାଲିପାଳ ପଞ୍ଚାୟତର କଅଁଳେଇବାଲିପାଳ ଗାଁରେ । ଗ୍ରାମର ସୁରେଶ ମହାରଣା ଓ ସୁନେଲି ମହାରଣା ୪ଟି ଛୋଟ ଛୋଟ ପିଲାଛୁଆଙ୍କୁ ଧରି ଖୁସିରେ ସଂସାର ଚଳାଉଥିଲେ । କିନ୍ତୁ ବିଧିର ବିଧାନ କେ କରିବ ଆନ, ସୁରେଶ ମହାରଣା ଗତବର୍ଷ
ଫେବୃୟାରୀ ମାସରେ ରୋଗରେ ପଡି ମୃତ୍ୟୁବରଣ କରିବାର ଠିକ ବର୍ଷେପରେ ତାର ସ୍ତ୍ରୀ ସୁନେଲୀ ମହାରଣା ଗତ ୨୮/୦୧/୨୦୨୩ରେ ଆରପାରିକୁ ଚାଲିଗଲେ । ଫଳରେ ଏବେ ୪ଜଣ ଛୋଟ ଛୋଟ ଶିଶୁ ଅନାଥ ହୋଇଯାଇଛନ୍ତି । ବଡପୁଅ ନଟର ବୟସ ୧୩ବର୍ଷ ହୋଇଥିବାବେଳେ ଝିଅ ଗୁରୁବାରୀର ବୟସ ୧୧, ସାନଝିଅ ମୁକ୍ତାର ବୟସ ୬ବର୍ଷ ଓ ସବାସାନ ପୁଅ ସେବା ମହାରଣାର ବୟସ ୨ବର୍ଷ ୬ମାସ । ଏ ବୟସରେ ପିଲାମାନଙ୍କ ମୁହଁରେ ଦାନା ଗଣ୍ଡିଏ ଦେବାକୁ କେହି ନାହିଁ । ମାସକୁ ମାସ ରେସନ ଚାଉଳ ଗଣ୍ଡିଏ ପାଉଥିବାବେଳେ ତାକୁ ରାନ୍ଧିବାଢ଼ି ଦେବାକୁ କେହି ନାହିଁ । ଏପରି ଅବସ୍ଥାରେ ଛୋଟ ଛୋଟ ଶିଶୁମାନେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ରହିବାପାଇଁ ଘର ଖଣ୍ଡିଏ ବି ନାହିଁ । ଯେଉଁ ଘରଟିରେ ରହୁଛନ୍ତି ତାହା ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବାବେଳେ ଚାଳ ଛପର ହୋଇ ନଥିବାରୁ ଦିନରେ ସୁର୍ଯ୍ୟ ଓ ରାତିରେ ତାରା ଦେଖିଛନ୍ତି । ଏହି ଶିଶୁମାନଙ୍କର ଏପରି ଅବସ୍ଥା ଦେଖିବାପରେ ଗତକାଲି ଗାଁର ବୁଦ୍ଧିରାମ ପୁର୍ତ୍ତୀ, ବିର୍ସର ପୁର୍ତ୍ତୀ, ଶ୍ରୀରାମ ପୁର୍ତ୍ତୀ, ଖଜୁରୀ ମହାକୁଡ, ରଥ ମହାକୁଡ, ରାମ ସୋରେନ, ଗୁଣ୍ଡା ଟୁଡୁ, ସାଉଁରୀ ପୁର୍ତ୍ତୀ, ପାର୍ଗାଣା ପୁର୍ତ୍ତୀ, ଚମ୍ପାଏ ପୁର୍ତ୍ତୀ, ରାଉତ ସୁରିନ, ଚୈତନ ସୁରିନ, ଇନ୍ଦ୍ରମଣି ହୋ, ପାଣ୍ଡୁ ହୋ, ସୁନାରାମ ପୁର୍ତ୍ତୀ, ଜୁରେ ପୁର୍ତ୍ତୀ ପ୍ରମୁଖ ମାତୃସଂଘର ସଦସ୍ୟ ସଦସ୍ୟା ମାନେ ଏକଯୁଟ ହୋଇ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ମାସକୁ ମାସ ୪୦କିଲୋ ଲେଖାଏଁ ଚାଉଳ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି । ବର୍ତ୍ତମାନ ଛୋଟ ଛୋଟ ଶିଶୁ ମାନଙ୍କ ପଢ଼ିବା ସମୟ ହୋଇଥିବାବେଳେ ସେମାନଙ୍କ ପଢ଼ାପଢ଼ି ଓ ରହିବାର ଦାୟିତ୍ୱ ପ୍ରଶାସନ ନେବାକୁ ସଂଘ ସଦସ୍ୟମାନେ ଦାବି କରିଛନ୍ତି । ଉକ୍ତ ପରିବାରଟି ଓବିସି ଶ୍ରେଣୀର ହୋଇଥିବାରୁ ସେମାନେ କୌଣସି ହଷ୍ଟେଲରେ ରହିବାର ସୁଯୋଗ ମିଳୁନଥିବାରୁ ପ୍ରଶାସନ ହସ୍ତକ୍ଷେପ କରିବା ଜରୁରୀ ହୋଇ ପଡିଛି ।


