ବାଲେଶ୍ୱରେ ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ
ବାଲେଶ୍ୱର, (ସରୋଜ ପଣ୍ଡା):ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବାଲେଶ୍ୱରରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ବୁଧବାର ଜିଲା ପରିକ୍ରମା ଆରମ୍ଭ କରିଛି । ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଏହି ରଥକୁ ଉଦଘାଟନ କରିଥିଲେ । ଜଳର ଉତ୍ତମ ବିନିଯୋଗ, ଜଳ ସଂରକ୍ଷଣ, ଜଳର ଗୁଣବତ୍ତା ରକ୍ଷା, ନୂତନ ଜ୍ଞାନ କୌଶଳ ପ୍ରୟୋଗ, ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ଜମିକୁ ଜଳଯୋଗାଣ, କେନାଲର ରକ୍ଷଣାବେକ୍ଷଣ ସମ୍ପର୍କରେ ଜନ ସଚେତନତା ସୃଷ୍ଟିରେ ଏହି ରଥ ବେଶ ସହାୟକ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଅଶା ପ୍ରକାଶ କରିଥିଲେ । ତେବେ ଏନେଇ ପାଣି ପଞ୍ଚାୟତର ନିୟମିତ ବୈଠକ ଆୟୋଜନ ସହ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ରଥ ଆସନ୍ତା ୮ ତାରିଖ ଯାଏଁ ଜିଲ୍ଲାର ବିଭିନ୍ନ ଜଳସେଚନ ଖଣ୍ଡ ଅଞ୍ଚଳ ପରିକ୍ରମା କରି ଚାଷୀମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାର କରିବ । ପାଣି ପଞ୍ଚାୟତ ଉପରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତା ଆଦି ଆୟୋଜନ ସହ ବିଜେତାଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଜିଲ୍ଲାରେ ଶ୍ରେଷ୍ଠ ତଥା ଅଗ୍ରଣୀ ଚାଷୀଙ୍କୁ ମନୋନୟନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛିି । ବିଶେଷ ଭାବେ କମ ପାଣିରେ ଉନ୍ନତ କିସମର ଫସଲ ଉତ୍ପାଦନ କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଚଳିତବର୍ଷ ଏହି ରଥ ଜନ ସଚେତନତା ସୃଷ୍ଟି କରିବ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପାଣି ପଞ୍ଚାୟତ ସପ୍ତାହ ପାଳନର ଉଦଯାପନୀ କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ସରକାରୀ ଯୋଜନା ସମ୍ବଳିତ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ବିଷ୍ଣୁପଦ ପଟ୍ଟାୟତ ସୂଚନା ଦେଇଛନ୍ତି । ଏହି ସଚେତନତା ରଥ ଶୁଭାରମ୍ଭ ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁଙ୍କ ସମେତ କ୍ଷୁଦ୍ର ଜଳସେଚନ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।


