ଅବହେଳିତ ଓ ଅବ୍ୟବସ୍ଥାରେ ଲାଗି ରହିଛି ତ୍ରିରଙ୍ଗା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଝଣ୍ଡା ଉଚ୍ଚା ରହେ ହମାରା… ଆକାଶରେ ଫରଫର ହୋଇ ଉଠୁଥିବା ତ୍ରିରଙ୍ଗା, ଭାରତୀୟଙ୍କ ଛାତିରେ ଭରିଦିଏ ଗର୍ବ ଗୈାରବ ଓ ଗଭୀର ଦେଶାତ୍ମବୋଧ । ଦେଶର ସମ୍ମାନ, ବୀରତ୍ଵ, ଶାନ୍ତି, ଐକ୍ୟର ପ୍ରତୀକ ଆମ ଜାତୀୟ ପତାକା ତ୍ରିରଙ୍ଗା । ଏହାର ସମ୍ମାନ ରକ୍ଷା କରିବା ପ୍ରତ୍ୟେକ ଭାରତୀୟଙ୍କ ପ୍ରଧାନ କର୍ତ୍ତବ୍ୟ । ଏଥିପାଇଁ ସମ୍ବିଧାନରେ ସ୍ଵତନ୍ତ୍ର ବିଧିବିଧାନ ଲିପିବଦ୍ଧ ରହିଛି । ଏହାର ଅସମ୍ମାନ ଦେଶ ଦ୍ରୋହ ସହ ସମାନ ବୋଲି ଧରାଯାଏ । ତେବେ ବହୁ ସ୍ଥାନରେ ଅବହେଳିତ ଓ ଅବ୍ୟବସ୍ଥାରେ ଲାଗି ରହି ଏହାର ମର୍ଯ୍ୟାଦା କ୍ଷୂର୍ଣ୍ଣ ହୋଇଛି । ବିଶେଷ ବିଶେଷ ଦିନ ଗୁଡ଼ିକରେ ତ୍ରିରଙ୍ଗା ପତାକାର ବ୍ୟବହାର ସାର୍ବଜନୀନ ହୋଇଥିବା ବେଳେ ଅସଦ ବ୍ୟବହାରକୁ ନେଇ କଟକଣା ମଧ୍ୟ ରହିଛି । ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରିଛି ଆଜାଦିକା ଅମୃତ ମହୋତ୍ସବ । ଏହି ଅବସରରେ, ହର ଘର ତ୍ରୀରଙ୍ଗାର ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଯାହାକୁ ସବୁ ମହଲରେ ସ୍ଵାଗତ କରାଗଲା । ସାରାଦେଶରେ ଉଡିଲା କୋଟି କୋଟି ତ୍ରୀରଙ୍ଗା । ଘର ଠୁ ଆରମ୍ଭ କରି ଦୋକାନ ବଜାର କାନ୍ଥ ବାଡ଼ି, ଗଛ ଡାଳ ସବୁଠିଁ ଲାଗିଲା ତ୍ରୀରଙ୍ଗା । ଆଉ ରହିଲାନି ସ୍ଥାନ କାଳ ପାତ୍ର, ଅନେକ ସ୍ଥାନରେ ରହିଲାନି ଏହାର ଉପଯୁକ୍ତ ଢଙ୍ଗ ଓ ମାନ । କିଛି ସ୍ଥାନରେ ଅର୍ଦ୍ଧ ନମିତ ତ ଆଉ କିଛି ସ୍ଥାନରେ ଗୁଡେ଼ଇ ହୋଇ, ଏହାର ମର୍ଯ୍ୟାଦା ହରାଇ ରାତିଦିନ ଲାଗି ରହିଛି ପତାକା। ଅନେକ ସର୍ବସାଧାରଣରେ ଜାତୀୟ ପତାକାର ସମ୍ମାନର ଧଜିଆ ଉଡ଼ିଗଲା । ରାସ୍ତା କଡ଼ରେ ଧୁଳି ଧୁସର ହୋଇ ବଦଳି ଗଲା ରୂପ ରଙ୍ଗ । ଯାହାକୁ ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଗାଁ ଠାରୁ ସହର ସବୁ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଦେଖିବାକୁ ମିଳିଛି । ଯାହା ଏକ‌ପ୍ରକାର ସମୟ ସାପେକ୍ଷ । ତେବେ ଏସବୁ ହଟାଇବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବା ଆବଶ୍ୟକ ରହିଛି । ତେବେ ଜାତୀୟ ପତାକା ତ୍ରିରଙ୍ଗାର ଏଭଳି ଅବହେଳିତ ଅବସ୍ଥାରେ ଦେଖି ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ସେନା କର୍ମଚାରୀ ଓ ବୁଦ୍ଧିଜୀବୀମାନେ । ଦେଶର ଗୈାରବ ଗାରିମା, ତ୍ରିରଙ୍ଗା ପତାକାକୁ ଜାତୀୟତା ବୋଧର ସୃଷ୍ଟି ଆଳରେ ବହୁଳ ଭାବରେ ବ୍ୟବହାର କରିବାକୁ ଯେଉଁ ଆଗ୍ରହ ସୃଷ୍ଟି କରାଗଲା ତଦନୁସାରେ ଏହାର ସମ୍ମାନ ରକ୍ଷା କରିବା ପାଇଁ ସଚେତନତା କରିବାରେ ରହିଲାନି ସେହି ଆଗ୍ରହତା, ଏଥିରେ ନିଶ୍ଚିତ ଭାବେ କେଉଁଠି ନା କେଉଁଠି ଅବହେଳା କରାଯାଇଛି ଯାହା ଫଳରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକାର ମର୍ଯ୍ୟାଦାରେ କୁଠାର ଘାତ ହେଉଛି । ତ୍ରିରଙ୍ଗା ପତାକାର ଏଭଳି ଅବ୍ୟବସ୍ଥା ଅବସ୍ଥାନ ଦେଖି ଘରେ ଘରେ ପହଞ୍ଚି ସଚେତନ କରିବା ସହ ବିକୃତ ପତାକା ଗୁଡ଼ିକ ହଟାଇବାରେ ପ୍ରୟାସ କରିଛନ୍ତି ନନ୍ଦିଘୋଷ ଟିମ୍ । ଗଜପତି ଜିଲ୍ଲା ନନ୍ଦିଘୋଷ ପ୍ରତିନିଧି ସରୋଜ ବୀର ଏବଂ ତାଙ୍କ ଟିମ ଯେଉଁ ଯେଉଁ ଠାରେ ଏଭଳି ଦୃଶ୍ୟ ଦେଖିଛନ୍ତି ସେଠାକୁ ଯାଇ ସଚେତନତା କରିବା ସହ ପତାକାକୁ ସମ୍ନାନର ସହ ବ୍ୟବହାର କରିବା ପାଇଁ କହୁଥିବାର ଦେଖିବାକୁ ମିଳିଛି । ସରୋଜଙ୍କ ଏଭଳି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ