ଗୋପ ରେ ତୈଳ ଉତ୍ତୋଳନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ଗୋପ ଠାରେ ଅଏଲ ଇଣ୍ଡିଆ କମ୍ପାନୀ ର ତେଲ ଓ ପ୍ରାକୃତିକ ଗ୍ୟାସ ଉତ୍ତୋଳନ ପାଇଁ ଲାଗିଲା ରିଗ୍ ମେସିନ୍ । ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋ ହାତରେ ଏହି ଦାୟିତ୍ୱ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଫୁଟ ତଳକୁ ଖୋଳିବା ପାଇଁ ରିଗ୍ ମେସିନ ଲଗାଯାଇଛି । ଗୋପ ର କୁଶୁପୁର ମୌଜା ରେ ୮ ଏକର ଜମିରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ୧୦ ହଜାର ଫୁଟ ତଳୁ କାଦୁଅକୁ ବିଶୋଧନ କରାଯିବା ସହିତ ତାକୁ ନେଇ ପରୀକ୍ଷଣ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ । ପର୍ଯ୍ୟାୟ କ୍ରମେ ରେ ବାହାରିବାକୁ ଥିବା କାଦୁଅରୁ ଅଶୋଧିତ ତେଲର ଯାଞ୍ଚ କରାଯିବ ।ଏହା ପରେ ପାରାଦୀପ ତୈଳ ବିଶୋଧନଗାରକୁ ପଠାଯିବ। ଆସନ୍ତା ୩ ବର୍ଷ ମଧ୍ୟରେ ଉକ୍ତ ତୈଳର ପରିମାଣ କେତେ ପରିମାଣରେ ରହିଛି ଜଣାପଡିବା ପରେ ଅଶୋଧିତ ତୈଳ ଉତ୍ତୋଳନ ପ୍ରକ୍ରିୟା ଚାଲିବ ବୋଲି ସୂଚନା ରହିଛି । ଅଏଲ ଇଣ୍ଡିଆ ସର୍ଭେରୁ ଏଠାରେ ତେଲ ମିଳିବା ନେଇ ସନ୍ଧାନ ମିଳିବା ପରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ତୈଳ ଓ ପ୍ରାକୃତିକ ଗ୍ୟାସ ଉତ୍ତୋଳନ କାର୍ଯ୍ୟ ରେ ୫୦ ରୁ ଉର୍ଦ୍ଧ୍ୱ ଅତ୍ୟାଧୁନିକ ମେସିନ ଲଗାଯାଇଛି । ଆସାମର ଅଭିଜ୍ଞ କର୍ମଚାରୀ ଖନନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗୋପ ବ୍ଲକର କୁଶୁପୁର, ମହାଲପଡା ପଞ୍ଚାୟତର ଚିତ୍ରା ଗ୍ରାମରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ସନ୍ଧାନ ମିଳିବା ପରେ ୨ଟି ପର୍ଯ୍ୟାୟ ରେ ଖୋଳିବା କାମ ଶେଷ ହୋଇ ଥିଲା। ପ୍ରାଥମିକ ପର୍ଯ୍ୟାୟ ରେ କୁଶୁପୁର ଅଞ୍ଚଳରୁ ୮ ଏକର ଜମି ଚିହ୍ନଟ କରାଯାଇ ୩୭ ଜଣ ଚାଷୀଙ୍କ ଜମିକୁ ଲିଜ୍ ଆକାରରେ ନିଆଯାଇ ୯୭ ଲକ୍ଷ ଟଙ୍କା ବ୍ୟାଙ୍କ ଚେକ୍ ମାଧ୍ୟମରେ ଚୁକ୍ତିପତ୍ର ସ୍ୱାକ୍ଷରିତ କରାଯାଇଛି । ଦ୍ୱତୀୟ ପର୍ଯ୍ୟାୟରେ ଗୋପ ବ୍ଲକର ମହଲପଡା ପଞ୍ଚାୟତ ର ଚିତ୍ରା ଗ୍ରାମରେ ଖାନନ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଦୈନିକ ନୂଆ ନୂଆ ଜ୍ଞାନ କୌଶଳ ର ଅତ୍ୟାଧୁନିକ ମେସିନ ଓ ଯନ୍ତ୍ରାଂଶ ଖାନନ କାର୍ଯ୍ୟ ରେ ନିୟୋଜିତ ହେଉଥିବାରୁ ସ୍ଥାନୀୟ ଅଧିବାସୀ ଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ପ୍ରକାଶ ପାଉଛି ସେତିକି ଭୟ ମଧ୍ୟ ସୃଷ୍ଟି ହେଉଛି l କାରଣ ବିଭିନ୍ନ ସ୍ଥାନ ରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି l କିନ୍ତୁ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଙ୍କ କହିବା କଥା ଯେ, ଏଠାରେ ଯେଉଁ ଖନନ କରାଯାଉଛି ସେଥିନେଇ କୌଣସି ଭୟଭୀତ ହେବାର ନାହିଁ l ଏଠାରେ ସମସ୍ତ ଅଭିଜ୍ଞ ସମ୍ପର୍ଣ ବ୍ୟକ୍ତି ମାନଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିଛି l କେତେଦୂର ଓ କେତେ ପରିମାଣରେ ଏଠାରେ ତୈଳ କି ଗ୍ୟାସ କି ଅନ୍ୟ କିଛି ଦ୍ରବ୍ୟ ବାହାରିବ ତାହା କହିବା ଠିକ ହେବନି l ଏଣୁ ଆପଣମାନଙ୍କୁ ଅପେକ୍ଷା କରିବାକୁ ପଡିବ କାରଣ ପର୍ଯ୍ୟାୟ କ୍ରମେ କାର୍ଯ୍ୟକ୍ରମ ଚାଲିଛି । ଯଦି ଆବଶ୍ୟକୀୟ ତୈଳ, ପ୍ରାକୃତିକ ଗ୍ୟାସ ଏଠାରେ ମିଳେ ତେବେ ଉକ୍ତ ସ୍ଥାନ ଓ ଅଞ୍ଚଳବାସୀ ଙ୍କ ବହୁତ ପ୍ରକାର ଉନ୍ନତି ଘଟିବ। ଏହି ଅଞ୍ଚଳ ସାରା ଦେଶ ରେ ପ୍ରସିଦ୍ଧ ଲାଭ କରିବ। ଏଠାକାର ଅଧିବାସୀ ବହୁ ପ୍ରକାର ରେ ଉପକୃତ ହୋଇ ପାରିବେ।


