ଗ୍ରାମୀଣ ପାର୍କ ପାଲଟିଛି ଚାରଣ ଭୂମି
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ରେ ଗତ ୨୦୨୦- ୨୧ ଆର୍ଥିକ ବର୍ଷରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗ୍ରାମୀଣ ପାର୍କ ସବୁ ରକ୍ଷଣାବେକ୍ଷଣ ଅଭାବ ରୁ ଏବେ ଗାଈଗୋରୁ ଙ୍କ ଚାରଣ ଭୂମିପାଲଟିଛି ।ଗ୍ରାମାଞ୍ଚଳ ଲୋକମାନଙ୍କ ଆମୋଦ ପ୍ରମୋଦ ପାଇଁ ସରକାର ପ୍ରତି ପଞ୍ଚାୟତରେ ଗ୍ରାମୀଣ ପାର୍କ ନିର୍ମାଣ ଲାଗି ଯୋଜନା କରିଥିଲେ ।ପ୍ରଥମ ପର୍ଯ୍ୟାୟରେ ବ୍ଲକ ର ୩୨ ଟି ପଞ୍ଚାୟତ ମଧ୍ୟରୁ ୨୧ ଟି ସ୍ଥାନ ରେ ପାର୍କ ନିର୍ମାଣ ହୋଇଥିଲା ।ସେଥିରୁ ୯ ଟି ଗ୍ରାମୀଣ ପାର୍କ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଏବଂ ଅନ୍ୟ ୧୨ ଟି ନୋଡାଲ ହାଇସ୍କୁଲ ମଧ୍ୟରେ ନିର୍ମାଣ କରାଯାଇଥିଲା ।ସରକାର ଙ୍କ ତହବିଲ ରୁ ପ୍ରତି ପାର୍କ ପାଇଁ ମୋଟ ୯ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ।ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଓ ମନରେଗା ଯୋଜନା ରେ ୨ ଲକ୍ଷ ଟଙ୍କା ପ୍ରତି ପଞ୍ଚାୟତ କୁ ପାଣ୍ଠି ଯୋଗାଇଦେଇଥିଲେ ।କିନ୍ତୁ ସମସ୍ତ ଗ୍ରାମୀଣ ପାର୍କ ଗୁଡ଼ିକ ଏବେ ଉଜୁଡି ଯିବାକୁ ବସିଛି ।ଏହି ପାର୍କ ଗୁଡ଼ିକ ଏବେ ଗାଈଗୋରୁ ଙ୍କ ଚାରଣ ଭୂମି ପାଲଟିଛି ।ଗ୍ରାମୀଣ ପାର୍କ ମଧ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବିଭିନ୍ନ ଜୀବଜନ୍ତୁ ଙ୍କ ର ମୂର୍ତ୍ତି ଏବଂ ଘାସ ର ଗାଲିଚା ସବୁ ସରୀସୃପ ମାନଙ୍କ ଆଶ୍ରୟସ୍ଥଳୀ ପାଲଟିଛି ।ପାଦଚଲା ରାସ୍ତା ପାଇଁ ବିଛା ଯାଇଥିବା ପେଭର୍ ବ୍ଲକ ଉପରେ ଘାସ ଲତା ମାଡ଼ି ଗଲାଣି ।ପାର୍କ ରେ ବସିବା ପାଇଁ ନିର୍ମାଣ ହୋଇଥିବା ସିମେଣ୍ଟ ଚୌକି ସବୁ ଅସାମାଜିକ ବ୍ୟକ୍ତି ମାନଙ୍କ ବସିବା ସ୍ଥାନ ପାଲଟିଛି ।ଯେଉଁ ମହତ ଉଦ୍ଦେଶ୍ୟ ରଖି ପାର୍କ ନିର୍ମାଣ ହୋଇଥିଲା ତାହା ପ୍ରହସନ ରେ ପରିଣତ ହୋଇଛି।ପରିଷ୍କାର ପରିଚ୍ଛନ୍ନତା ନ ଥିବାରୁ ପାର୍କ ମଧ୍ୟକୁ ଯିବାକୁ ସାଧାରଣଲୋକେ ଓ ଛୋଟ ଛୋଟ ପିଲା ମାନେ ମଙ୍ଗୁନାହାନ୍ତି ।ଫଳରେ ଗ୍ରାମୀଣ ପାର୍କ ସବୁ ଏବେ ନିଶାଡି ଙ୍କ ଆଡ୍ଡା ପାଲଟିଛି ବୋଲି ଅଭିଯୋଗ ହେଉଛି । ତୁରନ୍ତ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ଗ୍ରାମୀଣ ପାର୍କ ସବୁ ର ସଫାସଫି କରାଯାଇ ଏହାକୁ ଜନସାଧାରଣ ଙ୍କ ଉପଯୋଗୀ ପାଇଁ ପ୍ରସ୍ତୁତ କରାଯିବାକୁ ସାଧାରଣ ରେ ଦାବୀ ହେଉଛି।


