ଜିଲ୍ଲା ପରିଷଦ କମିଟି ଶୋଚନୀୟ ରାସ୍ତାବସ୍ଥା ଦେଖି ଅସନ୍ତୋଷ
ହ।ଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟର ପୁନଃ ପରିଦର୍ଶନ କରିଛି ଜିଲ୍ଲାପରିଷଦ ୱାର୍କସ କମିଟି । ଜିଲ୍ଲାପରିଷଦର ୩ନଂ କମିଟିର ଅଧ୍ୟକ୍ଷ ଅକ୍ଷୟ ସାହୁ, ସଦସ୍ୟା ଡଲି ପାତ୍ର, ଜୟାପ୍ରଦା ସା, ମାନସ କୁମାର ବେହେରା, ମଧୁମିତା ଦେହୁରୀ ପ୍ରମୁଖ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ହୋଇଥିବା ରାସ୍ତା ନିର୍ମାଣ କାର୍ଯ୍ୟର ପୁନଃ ସମୀକ୍ଷା କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ତିନିମାସ ପୁର୍ବରୁ ଏହି ରାସ୍ତା କାର୍ଯ୍ୟ ସମୀକ୍ଷା ସମୟରେ ବିଭାଗ ପକ୍ଷରୁ ଠିକାସଂସ୍ଥା ପୁନର୍ବାର ଏହାକୁ ନିର୍ମାଣ କରି ଉପଯୁକ୍ତ କାମ କରିବ ବୋଲି ପ୍ରତିଶୃତି ଦେଇଥିଲେବି ଆଜି ପର୍ଯ୍ୟନ୍ତ ସେପରି କିଛି ଅଗ୍ରଗତି କରିନଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । କେଉଁଠି ଫୁଟେ ଫୁଟେ ଖାଲ ତ ଆଉ କେଉଁଠି ସମ୍ପୁର୍ଣ୍ଣ ଭୁଷୁଡି ଯାଇଥିବା ଦେଖିବାକୁ ପାଇଥିଲେ । ତାଙ୍କ ସହିତ ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ବିନୋଦ କୁମାର ପଟ୍ଟନାୟକ, କେନ୍ଦୁଝର ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହୀଯନ୍ତ୍ରୀ ଦୟାନିଧି ସାହୁ, ଆନନ୍ଦପୁର ଡିଭିଜନର ନିର୍ବାହୀଯନ୍ତ୍ରୀ ବଳରାମ ମିଶ୍ର, ପୁର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ଅଶୋକ ଗିରି, ଆର.ଡି ବିଭାଗର ସହକାରୀଯନ୍ତ୍ରୀ ସୁବଳ କୁମାର ପଣ୍ଡା, ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ସମୀର ଅଧିକାରୀ, ଜଳସମ୍ପଦ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ନାୟକ, କନିଷ୍ଠଯନ୍ତ୍ରୀ ସୂର୍ଯ୍ୟମଣୀ ସାମଲ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ପ୍ରଣତୀ ଦେଓ, ଜିଲ୍ଲାପରିଷଦ କାର୍ଯ୍ୟାଳୟର କର୍ମଚାରୀ କୈଳାଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ଯାଇ ରାସ୍ତାର ଅବସ୍ଥାକୁ ନିଜ ଆଖିରେ ଦେଖିବା ସହିତ ଗୋଟିଏ ସ୍ଥାନ ପୋତା ଯାଉଥିବାବେଳେ ଆଉ ଦୁଇଟି ସ୍ଥାନରେ ଖାଲ ହେଉଥିବା ଦେଖିବାକୁ ପାଇଥିଲେ । ବିଶେଷକରି ଏହାର ସବବେସ ଠିକ ହୋଇନଥିବାରୁ ଏହି ରାସ୍ତାର ସ୍ଥାୟୀତ୍ୱକୁ ନେଇ କମିଟି ସନ୍ଦେହ ପ୍ରକଟ କରିଥିଲା । ଏଠାରେ ସୁଚନାଯୋଗ୍ୟ ଯେ ଏହି ରାସ୍ତାନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୧୫କୋଟି ୭୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ଦୀର୍ଘ ୧୯କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ଏସ.କେ.ଏମ ଇନଫ୍ରାଭେଞ୍ଚର ନାମକ ଏକ ଠିକାସଂସ୍ଥା ଏହିକାମ କରୁଥିବାବେଳେ ଧାର୍ଯ୍ୟ ସମୟରେ କାମ କରିନଥିଲେ । ଯେତିକି ବି କାମ କରିଥିଲେ ତାହା ଅତି ନିମ୍ନମାନର ହୋଇଥିବାରୁ ଦିନ କେଇଟା ମଧ୍ୟରେ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ସହ ପୁର୍ବାବସ୍ଥାକୁ ଫେରି ଆସିଥିଲା । ଏନେଇ ସ୍ଥାନୀୟ ଲୋକମାନେ ଅନେକବାର ବିରୋଧ କରିବା ସହ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବାପରେ ଜିଲ୍ଲାପରିଷଦ ବୈଠକରେ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ଏକ କମିଟି ମାଧ୍ୟମରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପରିଷଦର ୩ନଂ କମିଟି ଏହି କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭିନ୍ନ ବିଭାଗର ନିର୍ବାହୀଯନ୍ତ୍ରୀ ମାନେ ଉପସ୍ଥିତ ରହି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ସେ ନଷ୍ଟ ହୋଇଥିବା କାମକୁ ପୁନର୍ବାର କରାଯିବାପାଇଁ ବ୍ୟବସ୍ଥା କରିଥିବାବେଳେ କଂଟ୍ରାକ୍ଟର ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ କାର୍ଯ୍ୟ ଅଗ୍ରଗତିରେ ବିଳମ୍ବ ଘଟିଲା ବୋଲି କହିଛନ୍ତି ।


